ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା
୫୩ ବର୍ଷ ପରେ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ହାତରେ ଦୁଇଦିନ ସମୟ କମ୍ ଥିବାରୁ ଚଳିତ ରଥଯାତ୍ରା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ନୂଆ ସରକାରଙ୍କୁ ନେଇ ଚଳିତ ରଥଯାତ୍ରା କିଭଳି ସମନ୍ବୟ ଭିତ୍ତିରେ ଶେଷ ହେବ, ତାହା ଚିନ୍ତାର କାରଣ ପାଲଟିଛି। ଏ ଉପରେ ଆଜି ଶ୍ରୀମନ୍ଦିର ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ସରକାର ଗଠନ ପରେ ନିଯୋଗ ଏ ଉପରେ ସରକାରଙ୍କ ସହ ଆଲୋଚନା କରିବ ବୋଲି ନିଯୋଗ ନିଷ୍ପତ୍ତି ନେଇଛି। ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ ଶେଷ ପାଇଁ ନିଯୋଗ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଛି।ଶ୍ରୀମନ୍ଦିର ପରିସର ନବଗ୍ରହ ମନ୍ଦିରଠାରେ ଦଇତାପତି ନିଯୋଗର ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଯୋଗ ସଭାପତି ଜଗନ୍ନାଥ ଦାସମହାପାତ୍ର, ସଂପାଦକ ରାମକୃଷ୍ଣ ଦାସମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ବିଶ୍ବାବସୁ ବିନାୟକ ଦାସମହାପାତ୍ର, ଅନାଥ ଦାସମହାପାତ୍ର, ରାଜା ସ୍ବାଇଁ ମହାପାତ୍ର, କାର୍ତ୍ତିକ ଦାସମହାପାତ୍ର, ଗୁଣଧର ଦାସମହାପାତ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ରଥଯାତ୍ରା, ଅଣସର ନୀତିକାନ୍ତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ୧୯୭୧ ମସିହାର ନୀତିକାନ୍ତି ଆଧାରରେ ଚଳିତବର୍ଷର ନୀତିକାନ୍ତି କରିବାକୁ ମତପ୍ରକାଶ ପାଇଥିଲା। ୧୯୭୧ ମସିହା ରଥଯାତ୍ରା ରେକର୍ଡର ତର୍ଜମା କରାଯାଇଥିଲା।