ରକ୍ତଚାପ କ’ଣ ?

 ସାଧାରଣ ଭାବରେ କହିଲେ ରକ୍ତ ସ୍ରୋତ ଦ୍ୱାରା ଧମନୀଗୁଡ଼ିକର ପାଚେରି ଉପରେ ପଡୁଥିବା ଚାପକୁ ‘ରକ୍ତଚାପ’ କହନ୍ତି। ଡାକ୍ତରୀ ଭାଷାରେ କହନ୍ତି ‘ବ୍ଲଡପ୍ରେସର’, ସଂକ୍ଷେପରେ ବି.ପି.। ହୃତ୍‌ପିଣ୍ଡ ସଙ୍କୁଚିତ ହେଲେ ତା’ ଭିତର ରକ୍ତ ଧମନୀ ଭିତରକୁ ପିଚ୍‌କି ଯାଏ। ହୃତ୍‌ପିଣ୍ଡ ସଙ୍କୁଚିତ ହୋଇ ରକ୍ତ ପ୍ରେରଣ କଲା ବେଳେ ଧମନୀର ଓ୍ବାଲ୍‌ ବା ପାଚେରିରେ ଯେଉଁ ଚାପ ଅନୁଭୂତ ହୁଏ, ତାହାକୁ କୁହାଯାଏ ‘ସିଷ୍ଟୋଲିକ୍‌ ରକ୍ତଚାପ’। କିନ୍ତୁ ହୃତ୍‌ପିଣ୍ଡ ସଙ୍କୁଚିତ ହେବା ପରେ ଅତି ସ୍ବଳ୍ପ ସମୟ ପାଇଁ ତାହା ଶିଥିଳ ହୋଇ ରହେ। ଏହି ସମୟରେ ମଧ୍ୟ ଅବ୍ୟାହତ ରହିଥାଏ ରକ୍ତ ପ୍ରବାହ ଏବଂ ଧମନୀର ପାଚେରିରେ ସାମାନ୍ୟ ଚାପ ଅନୁଭୂତ ହୁଏ। ଏହି ପ୍ରକାରର ଚାପକୁ କୁହାଯାଏ ‘ଡାୟୋଷ୍ଟୋଲିକ ରକ୍ତଚାପ’ ଏବଂ ଏହା ସିଷ୍ଟୋଲିକ ରକ୍ତଚାପ ଠାରୁ ଊଣା। ସିଷ୍ଟୋଲିକ୍‌ ଚାପ ହେଉଛି ହୃତ୍‌ପିଣ୍ଡ ସଙ୍କୋଚନ ସମୟରେ ସର୍ବାଧିକ ଚାପ ଏବଂ ଡାୟୋଷ୍ଟୋଲକ ଚାପ ହେଉଛି ହୃତ୍‌ପିଣ୍ଡ ଶିଥିଳତା ବା ପ୍ରସାରଣ ସମୟର ସର୍ବନିମ୍ନ ଚାପ।
ଆମ ସମସ୍ତଙ୍କର କ’ଣ ରକ୍ତଚାପ ରହିଛି :  ହଁ, ପିଲା, ବୁଢ଼ା, ନାରୀ, ପୁରୁଷ ସମସ୍ତଙ୍କର ରକ୍ତଚାପ ଅଛି। ଏପରି କି ପ୍ରତ୍ୟେକ ଶିଶୁ ମଧ୍ୟ ନିଜ ରକ୍ତଚାପକୁ ଧରି ଭୂମିଷ୍ଠ ହୋଇଥାଏ। ପ୍ରତ୍ୟେକ ସୁସ୍ଥ ବ୍ୟକ୍ତିଙ୍କର ରକ୍ତଚାପକୁ ଆମେ ସାଧାରଣ ରକ୍ତଚାପ ବା ‘ନର୍ମାଲ ବ୍ଲଡ ପ୍ରେସର’ ବୋଲି କହିଥାଉ। ଏହା ବଢ଼ିଗଲେ ସେହି ଅସ୍ବାଭାବିକତାକୁ କୁହାଯାଏ ‘ଉଚ୍ଚ ରକ୍ତଚାପ’ ବା ହାଇପର ଟେନ୍‌ସନ୍‌ (‘ହାଇପର’ର ଅର୍ଥ ଅଧିକ ଏବଂ ‘ଟେନ୍‌ସନ୍‌’ର ଅର୍ଥ ଚାପ)। ଶରୀର ସାରା ରକ୍ତ ସଞ୍ଚାଳନ ପାଇଁ ରକ୍ତଚାପ ଅପରିହାର୍ଯ୍ୟ। ରକ୍ତର ଚାପ ଥିବାରୁ ହିଁ ରକ୍ତରେ ଥିବା ଜଳ, ଅମ୍ଳଜାନ ଓ ଖାଦ୍ୟ ଉପାଦାନମାନ ଶରୀରର ସବୁକୋଷରେ ସହଜରେ ପହଞ୍ଚତ୍ଥାଏ।
ରକ୍ତଚାପକୁ ପ୍ରକାଶ କରାଯାଏ କିପରି ରକ୍ତଚାପକୁ ଦୁଇଟି ସଂଖ୍ୟା ଭାବରେ ପ୍ରକାଶ କରାଯାଏ ଓ ଭଗ୍ନାଂଶ ଲେଖିବା ପ୍ରକାରେ ଉପର ଓ ତଳ ରୀତିରେ ଲେଖାଯାଏ। ଏଥିରେ ଉପର ସଂଖ୍ୟାଟି ସିଷ୍ଟୋଲିକ୍‌ ରକ୍ତଚାପ ଏବଂ ତଳ ସଂଖ୍ୟାଟି ଡାୟୋଷ୍ଟୋଲିକ୍‌ ରକ୍ତଚାପ। ରକ୍ତଚାପର ଏକକ ହେଉଛି ମିଲିମିଟର ଅଫ୍‌ ମକ୍ୟୁରୀ (mm of Hg)। ଉଦାହରଣସ୍ବରୂପ ୧୨୦/୮୦ ଏମ୍‌ଏମ୍‌ ଅଫ୍‌ ଏଚ୍‌ଜି ବୋଲି ଲେଖିଲେ ସିଷ୍ଟୋଲିକ୍‌ ରକ୍ତଚାପ ହେଉଛି ୧୨୦ ଏବଂ ଡାୟୋଷ୍ଟୋଲିକ ରକ୍ତଚାପ ହେଉଛି ୮୦ ଏମ୍‌ଏମ୍‌ ଅଫ୍‌ ଏଚ୍‌ଜି। ୧୮ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତିଙ୍କର ସିଷ୍ଟୋଲିକ ଓ ଡାୟୋଷ୍ଟୋଲିକ ରକ୍ତଚାପ ହେଉଛି ୮୦ ଏମ୍‌ଏମ୍‌ ଅଫ୍‌ ଏଚ୍‌ଜି।
୧୮ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କର ସିଷ୍ଟୋଲିକ୍‌ ଓ ଡାୟୋଷ୍ଟୋଲିକ୍‌ ରକ୍ତଚାପ ଯଥାକ୍ରମେ ୧୨୦ରୁ କମ୍‌ ଓ ୮୦ରୁ କମ୍‌ ରହିଥିଲେ ତାହା ସାଧାରଣ ରକ୍ତଚାପ ବା ନର୍ମାଲ ବ୍ଲଡ ପ୍ରେସର। ଏହା ଯଥାକ୍ରମେ ୧୨୦ରୁ ୧୩୯ ଏବଂ ୮୦ରୁ ୮୯ ମଧ୍ୟରେ ରହିଥିଲେ ତାହା ପ୍ରାକ୍‌ ଉଚ୍ଚ ରକ୍ତଚାପ ଅବସ୍ଥା ବା ପ୍ରିହାଇପରଟେନ୍‌ସନ୍‌। ମାତ୍ର ଏହା ଯଥାକ୍ରମେ ୧୪୦ରୁ ବେଶି ଏବଂ ୯୦ରୁ ବେଶି ରହିଥିଲେ ତାହା ଉଚ୍ଚ ରକ୍ତଚାପ ବା ‘ହାଇପରଟେନ୍‌ସନ୍‌’। ଏହି ପରିପ୍ରେକ୍ଷୀରେ ଦେଖିଲେ ରକ୍ତଚାପ ୧୨୦/୮୦ ମିଲିମିଟର ଅଫ୍‌ ମକ୍ୟୁରୀରୁ ବେଶି ରହିଥିଲେ ତାହା ଆଦୌ ନିରାପଦ ନୁହେଁ।
କେଉଁ କେଉଁ କାରକ ରକ୍ତଚାପକୁ ପ୍ରଭାବିତ କରିଥାନ୍ତି
-ବାପା କିମ୍ବା ମା’ ଉଭୟ ଉଚ୍ଚ ରକ୍ତଚାପ ରୋଗୀ ହୋଇଥିଲେ ସନ୍ତାନମାନେ ଉଚ୍ଚ ରକ୍ତଚାପ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ବେଶି।
-ବୟସ ବଢ଼ିଲେ ରକ୍ତଚାପ କିଛି ମାତ୍ରାରେ ବଢ଼ିପାରେ। ତେବେ ୪୫ରୁ ୬୦ ବର୍ଷ ବୟସ ଏହି ରୋଗ ପାଇଁ ସମ୍ବେଦନଶୀଳ ବୟସ। ଶିଶୁ ଓ କିଶୋରୀକିଶୋରମାନଙ୍କଠାରେ ମଧ୍ୟ ରକ୍ତଚାପ ବଢ଼ିପାରେ।