ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟର ଆସନ ବୁଝାମଣା 

ଭିଵାଣ୍ଡି ଓ ସାଙ୍ଗଲି ଆସନ ପାଇଁ ତିନି ଜଣ ଦାବି କରିଥିଲେ, ଯାହା ଆଲୋଚନାକୁ ବାଧାପ୍ରାପ୍ତ କରିଥିଲା। ଏହା ଶରଦ ପାୱାରଙ୍କ ଏନ୍‌ସିପି ଏବଂ ଉଦ୍ଧବ ଠାକରେଙ୍କ ଶିବସେନାକୁ ଦିଆଯାଇଛି। ପାୱାର କହିଛନ୍ତି ଯେ ଏପର୍ଯ୍ୟନ୍ତ ଘୋଷଣା ହୋଇ ନ ଥିବା ଆସନଗୁଡ଼ିକ ପାଇଁ ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ। ଭିଵାଣ୍ଡି ବ୍ୟତୀତ ଏନ୍‌ସିପି ଗୋଷ୍ଠୀ ବାରାମତୀର ପାରିବାରିକ ଗଡ଼ରେ ମଧ୍ୟ ନିର୍ବାଚନ ଲଢ଼ିବ, ଯେଉଁଥିରେ ଶରଦ ପାୱାରଙ୍କ ଝିଅ ବର୍ତ୍ତମାନର ସାଂସଦ ସୁପ୍ରିୟା ସୁଲେ ଏବଂ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କ ମଧ୍ୟରେ ହାଇ-ପ୍ରୋଫାଇଲ୍ ସଂଘର୍ଷ ଦେଖିବାକୁ ମିଳିବ। ତେବେ ପ୍ରକାଶ ଆମ୍ବେଦକରଙ୍କ ଭିବିଏ ଏହି ଆସନ ବୁଝାମଣା ଭିତରେ ସ୍ଥାନ ପାଇନାହିଁ। ଭିବିଏ ତ୍ରିପାକ୍ଷିକ ମେଣ୍ଟ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ମଧ୍ୟ କୌଣସି ବୁଝାମଣା ହୋଇ ନ ଥିଲା। ଆମ୍ବେଦକର ପ୍ରଥମେ ତାଙ୍କ ଦଳ ପାଇଁ ୫ଟି ଆସନ ଚାହୁଥିଲେ ଏବଂ ପରେ ସେହି ଦାବିକୁ ୮କୁ ବୃଦ୍ଧି କରିଥିଲେ, ଯେଉଁଥିରୁ ଅଧିକାଂଶ ମକଂଗ୍ରେସ କିମ୍ବା ଠାକରେଙ୍କ ଶିବସେନା ଗୋଷ୍ଠୀକୁ ଦିଆଯାଇଥିଲା। ଆମ୍ବେଦକରଙ୍କ ଦଳ ସହ ଆଲୋଚନା ବିଫଳ ହୋଇଥିବା କଥା ଆଜି ଏମ୍‌ଭିଏ ସ୍ୱୀକାର କରିଛି। ମହାରାଷ୍ଟ୍ରରେ ପାଞ୍ଚଟି ପର୍ଯ୍ୟାୟରେ ଏପ୍ରିଲ ୧୯, ଏପ୍ରିଲ ୨୬, ମେ ୭, ମେ ୧୩ ଓ ମେ ୨୦ରେ ନିର୍ବାଚନ ହେବ। ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଚଳିତ ବର୍ଷ ଶେଷ ଆଡ଼କୁ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।