ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର

ଦକ୍ଷିଣ ଓଡ଼ିଶାରେ ସଶକ୍ତ ହେଉଛି ବିଜେଡି। ବୁଧବାର ସକାଳେ ବିଜେପିରୁ ଇସ୍ତଫା ଦେଇଥିବା ଭୃଗୁ ବକ୍ସିପାତ୍ର ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର। ୨୦୧୯ରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଭୃଗୁ। ଭୃଗୁ ବକ୍ସିପାତ୍ର ବିଜେଡିରେ ମିଶିବା ପରେ ସେ ବ୍ରହ୍ମପୁରରୁ ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି।

ଭୃଗୁ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଅତ୍ୟନ୍ତ ଦୁଃଖର ସହିତ ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି । ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟରେ ପାର୍ଟିର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଛି । ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତା ସହିତ ତୁଲାଇଛି । ତେବେ ବିଭିନ୍ନ ସାଙ୍ଗଠନିକ ଓ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ପାର୍ଟି ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ । କିନ୍ତୁ ଗତ କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ ସେବାର ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧି କଲି । ତେଣୁ ଆଗକୁ ବଢିବା ପାଇଁ ସ୍ଥିର କଲି । ଲୋକଙ୍କ ସେବା ଓ ଓଡିଶାର ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି ବୋଲି ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।