ପତ୍ନୀଙ୍କୁ ଟିକେଟ ନ ମିଳିବାରୁ କଂଗ୍ରେସ ଛାଡିଲେ ଆସାମ ବିଧାୟକ
ଆସାମର ଲକ୍ଷ୍ମୀପୁର ଜିଲ୍ଲାର ନାଓବୋଇଚା ବିଧାୟକ ଭରତ ଚନ୍ଦ୍ର ନାରା ତାଙ୍କ ପତ୍ନୀଙ୍କୁ ଲୋକସଭା ନିର୍ବାଚନ ପାଇଁ ଦଳରୁ ଟିକେଟ ନ ମିଳିବାରୁ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଲକ୍ଷ୍ମୀପୁର ଲୋକସଭା ଆସନ ପାଇଁ ଉଦୟ ଶଙ୍କର ହଜାରିକାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଏହି ଆସନ ପାଇଁ କଂଗ୍ରେସ ଦଳ ତାଙ୍କ ପତ୍ନୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରନି ନାରାଙ୍କୁ ପ୍ରାର୍ଥୀ କରିବ ବୋଲି ନାରାହ ଆଶାବାଦୀ ଥିଲେ।ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଲେଖିଥିବା ଏକ ଧାଡ଼ିର ଇସ୍ତଫା ପତ୍ରରେ ବିଧାୟକ କହିଛନ୍ତି, ‘ମୁଁ ତୁରନ୍ତ ଭାରତୀୟ ଜାତୀୟ କଂଗ୍ରେସରୁ ଇସ୍ତଫା ଦେଉଛି।’ ରବିବାର ଆସାମ କଂଗ୍ରେସର ମିଡିଆ ସେଲ୍ର ଅଧ୍ୟକ୍ଷ ପଦରୁ ମଧ୍ୟ ନାରାହ ଇସ୍ତଫା ଦେଇଛନ୍ତି।
ସେ ଧକୁଆଖାନା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ହୋଇଥିବା ବେଳେ ୨୦୨୧ରେ ନାଓବୋଇଚାରୁ ଷଷ୍ଠ ଥର ପାଇଁ ବିଧାୟକ ହୋଇଥିଲେ। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ ଆସାମ ଗଣ ପରିଷଦ (ଏଜିପି)ରେ ଥିଲେ। ନାରାହ ଉଭୟ ଏଜିପି ଏବଂ କଂଗ୍ରେସ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପ୍ରେସ ପରାମର୍ଶଦାତା ମଧ୍ୟ ଥିଲେ।
ତାଙ୍କ ପତ୍ନୀ ରନି ନାରାହ ଲକ୍ଷ୍ମୀପୁରରୁ ତିନି ଥର ସାଂସଦ ହୋଇଥିବା ବେଳେ ରାଜ୍ୟସଭାରେ ମଧ୍ୟ ସାଂସଦ ଥିଲେ।
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାନି ନାରାହ ଏବଂ କିଛି ମାସ ତଳେ ଶାସକ ବିଜେପିରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ହଜାରିକା ଲକ୍ଷ୍ମୀପୁରରୁ ଦଳୀୟ ପ୍ରାର୍ଥୀ ପାଇଁ ଜୋରଦାର ପ୍ରୟାସ ଚଳାଇଥିଲେ। ହଜାରିକା ଦଳରେ ନୂଆ ଚେହେରା ହୋଇଥିଲେ ମଧ୍ୟ ତାଙ୍କ ପଛରେ ରାଜ୍ୟ କଂଗ୍ରେସ ସଭାପତି ଭୂପେନ କୁମାର ବୋରାଙ୍କ ଦୃଢ଼ ସମର୍ଥନ ରହିଛି।