ଚେନ୍ନାଇ, ୬ ୱିକେଟ୍‌ରେ ବେଙ୍ଗାଲୁରୁକୁ ହରାଇଲା

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସର ବିଜୟରୁ ଅଭିଯାନ ଆରମ୍ଭ କରିଛି। ତେବେ ଏହି ମ୍ୟାଚରେ ଓପନିଂ କରିବାକୁ ଯାଇଥିବା ଷ୍ଟାର ଖେଳାଳି ବିରାଟ କୋହଲି ମାତ୍ର ୨୧ ରନ୍ କରି ପାଭିଲିୟନ ଫେରିଥିଲେ । ଏହି ଛୋଟ ଇନିଂସ ବଳରେ ଆଜି ବିରାଟ ଏକ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିବାକୁ ସକ୍ଷମ ହୋଇଥିଲେ । ପ୍ରଥମ ଭାରତୀୟ ଭାବେ ଟି-୨୦ରେ ବିରାଟ ୧୨ ହଜାର ରନ୍ ପୂରଣ କରିଛନ୍ତି । ଏଥିସହିତ ୧୨ ହଜାର ରନ ପୂରଣ କରିବାରେ ବିରାଟ ଷଷ୍ଠ ଭାରତୀୟ ହୋଇପାରିଛନ୍ତି । ବିରାଟଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜର କ୍ରିସ ଗେଲ (୧୪,୫୬୨ ରନ୍) ପ୍ରଥମ, ପାକିସ୍ତାନର ଶୋଏବ ମଲିକ (୧୩,୩୬୦ ରନ୍) ଦ୍ୱିତୀୟ, ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡ (୧୨,୯୦୦ ରନ୍) ତୃତୀୟ, ଇଂଲଣ୍ଡର ଆଲେକ୍ସ ହେଲ୍ସ (୧୨,୩୧୯ ରନ୍) ଚତୁର୍ଥ ଓ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର (୧୨,୦୬୫ ରନ୍) ପଞ୍ଚମ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ପୂର୍ବରୁ ବିରାଟ ୩୭୬ଟି ମ୍ୟାଚରେ ୧୧,୯୯୪ ରନ୍ ସଂଗ୍ରହ କରିଥିବା ବେଳେ ଆଜିର ମ୍ୟାଚ ପରେ ତାଙ୍କର ମୋଟ ସ୍କୋର ୧୨,୦୧୫ରେ ପହଞ୍ଚିଯାଇଛି ।

ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌  ଷ୍ଟାଡିୟମ୍‌ରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ଚେନ୍ନାଇ ଟିମ୍‌ ୧୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ହାସଲ କରିଛି। ପ୍ରଥମ ପାଳିରେ ବେଙ୍ଗାଲୁରୁ ପାଇଁ ଅନୁଜ ରାୱତ ଓ ଦିନେଶ କାର୍ତ୍ତିକ ଷଷ୍ଠ ୱିକେଟ୍‌ରେ ୯୫ ରନ୍ ଭାଗିଦାରୀ ହୋଇପାରିଥିଲେ। ଚେନ୍ନାଇ ବିପକ୍ଷରେ ବେଙ୍ଗାଲୁରୁ ୬ଟି ୱିକେଟ୍‌ ହରାଇ ୧୭୩ ରନ୍‌ ସଂଗ୍ରହ କରିଥିଲା।  ପ୍ରଥମ ମୁକାବିଲାରେ ବେଙ୍ଗାଲୁରୁ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।  ଦଳ ସ୍କୋର୍‌ ୪୨ ରନ୍‌ ବେଳକୁ କ୍ରମାଗତ ଭାବେ ରଜତ ପାଟିଦାର ଓ ଗ୍ଲେନ୍‌ ମେକ୍ସୱେଲ୍‌ଙ୍କୁ ହରାଇଲା। ପାଟିଦାର ଓ ମେକ୍ସୱେଲ୍‌ ଖାତା ଖୋଲି ନପାରି ପଡ଼ିଆରୁ ବିଦାୟ ନେଇଥିଲେ। ବିରାଟ କୋହଲି ମଧ୍ୟ ବ୍ୟକ୍ତିଗତ ଭାବେ  ୨୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ଚେନ୍ନାଇର ପଞ୍ଚମ ଶିକାର ହୋଇଥିଲେ କେମ୍‌ରନ୍‌ ଗ୍ରିନ୍‌ (୧୮ ରନ୍‌)।ଅନୁଜ ରାୱତ ଦଳ ପାଇଁ ବ୍ୟକ୍ତିଗତ ଭାବେ ସର୍ବାଧିକ ୪୮ ରନ୍‌ ସଂଗ୍ରହ କରିଥିଲେ। ସେ ୨୫ଟି ବଲ୍‌ ଖେଳି ୪ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଦିନେଶ କାର୍ତ୍ତିକ ଅପରାଜିତ ରହି ୨୬ଟି ବଲ୍‌ରୁ ୩୮ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ୩ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଚେନ୍ନାଇର ଦମଦାର ବୋଲିଂ ପ୍ରଦର୍ଶନରେ ମୁସ୍ତାଫିଜୁର ରହମାନ୍‌ ଶ୍ରେଷ୍ଠ ଭୂମିକା ନେଇଥିଲେ। ସେ ବିସ୍ଫୋରକ ବ୍ୟାଟର ଡୁ‌’ପ୍ଲେସିସ୍‌, ରଜତ ପାଟିଦାର, ବିରାଟ କୋହଲି ଓ କେମରନ୍‌ ଗ୍ରିନ୍‌ଙ୍କୁ ପାଭିଲିଅନ୍‌ ପଠାଇଥିଲେ। ମେକ୍ସୱେଲଙ୍କୁ ଦୀପକ ଚାହର ଆଉଟ୍‌ କରିଥିଲେ।