ଇଡିର ସମନ ବିରୋଧରେ ହାଇକୋର୍ଟ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ମଦ ଦୁନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଏବଂ ଇଡି ମଧ୍ୟରେ ଛକାପଞ୍ଜା ହାଇକୋର୍ଟରେ ପହଂଚିଛି । ଇଡିର ସମନକୁ ବେଆଇନ ଦର୍ଶାଇ କେଜରିୱାଲ ବୁଧବାର ଦିଲ୍ଲୀ ହାଇକୋର୍ଟ ଯାଇଥିଲେ । ମାମଲାର ଶୁଣାଣି କରି କୋର୍ଟ ଇଡିକୁ ଦୁଇ ସପ୍ତାହ ମଧ୍ୟରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କାହିଁକି ଇଡିରେ ହାଜର ହେଉନାହାଁନ୍ତି ବୋଲି ଉତର ରଖିବାକୁ କେଜରୀୱାଲଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । ଜଷ୍ଟିସ୍ ସୁରେଶ କୁମାର ଏବଂ ଜଷ୍ଟିସ୍ ମନୋଜ ଝାଙ୍କୁ ନେଇ ଗଠିତ ଖଣ୍ଡପୀଠ କେଜରୀୱାଲଙ୍କୁ ସପ୍ତାହ ମଧ୍ୟରେ ଉତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାମଲାର ପରବର୍ତି ଶୁଣାଣି ଏପ୍ରିଲ ୨୨ ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ । ୨୦୨୧-୨୨ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତଦନ୍ତ ପାଇଁ ଇଡି କେଜରିୱାଲଙ୍କୁ ୯ ଥର ସମନ ଜାରି କରିବା ସହ ଗୁରୁବାର ହଜାର ହେବାକୁ କହିଥିଲା । ଏହା ପୂର୍ବରୁ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହି ମାମଲାରେ ଆପ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଥିବା ବେଳେ ସେମାନେ ଏବେ ଜେଲରେ ଅଛନ୍ତି ।