ତାରିଖ ଘୋଷଣା ପରେ ମଧ୍ୟ ହଟୁନି ମେଣ୍ଟ ଦ୍ୱନ୍ଦ୍ୱ
କିଛି ଦିନ ଧରି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଶୀର୍ଷରେ ପହଞ୍ଚିଥିବା ବେଳେ ସମସ୍ତେ ଆକଳନ କରୁଥିଲେ, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଦୁଇ ଦଳ । ହେଲେ, ତାରିଖ ଘୋଷଣା ପରେ ମଧ୍ୟ ହଟିଲା ନାହିଁ ଦ୍ୱନ୍ଦ୍ୱ ।
ତେବେ ପୂର୍ବରୁ ରାଜ୍ୟରେ ଯେତେ ନିର୍ବାଚନ ହୋଇଛି, ଏପରି ସ୍ଥିତି କେବେ ଉପୁଜି ନଥିଲା । ତାରିଖ ଘୋଷଣା ପରେ ବି ରାଜ୍ୟରେ କିପରି ରାଜନୈତିକ ଲଢ଼େଇ ହେବ, ତା’ର ରୂପରେଖ ସ୍ପଷ୍ଟ ହୋଇ ପାରୁନାହିଁ । ଜନତା ତ ଦ୍ୱନ୍ଦ୍ୱରେ ରହିଛନ୍ତି । କିନ୍ତୁ ସବୁଠୁ ଅଧିକ ଆଶଙ୍କାରେ ରହିଛନ୍ତି ଟିକେଟ ଆଶାୟୀ, ଛାମୁଆ ନେତା ଓ ତୃଣମୂଳ ସ୍ତରର କର୍ମୀ ।
ସମୟ ଗଡ଼ି ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି ଶୀର୍ଷ ନେତା । ନିକଟରେ ଜାରତୀୟ ଗଣମାଧ୍ୟମର ଏକ କନକ୍ଲେଭରେ ଯୋଗ ଦେଇ ଅମିତ ଶାହା କହିଛନ୍ତି, ଓଡ଼ିଶା ସଂପର୍କରେ ନିଷ୍ପତି ନେବେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏପଟେ ବିଜେଡି ନେତାମାନେ ମଧ୍ୟ ଦଳର ସୁପ୍ରିମୋଙ୍କ ଉପରେ ନିଷ୍ପତି ଛାଡିଛନ୍ତି । ହେଲେ ଦୁଇ ଦଳର ଶୀର୍ଷ ନେତା ଅସମ୍ଭବ ପ୍ରକାର ନିରବତା ଅବଲମ୍ବନ କରି ଆସୁଛନ୍ତି । ଯାହା ମେଣ୍ଟ ଚର୍ଚ୍ଚାକୁ ଏପର୍ଯ୍ୟନ୍ତ ବଞ୍ଚାଇ ରଖିଛି । ତେବେ ସମୟ ଗଡ଼ୁଥିବାରୁ ମେଣ୍ଟକୁ ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ ।