ଆଜିଠାରୁ ଆୟୁଷ୍ମାନ କାର୍ଡ ମାଗଣା ସ୍ବାସ୍ଥ୍ୟ ସେବା ଏହି ରାଜ୍ୟରେ ବନ୍ଦ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବାରା ଜାରି ହୋଇଥିବା ଆୟୁଷ୍ମାନ କାର୍ଡ ମାର୍ଚ୍ଚ ୧୬ଠାରୁ ହରିୟାଣାରେ କାର୍ଯ୍ୟ କରିବା ବନ୍ଦ ହୋଇଛି। ଫଳରେ ଏହା ଅନ୍ତର୍ଗତ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଆଉ ମିଳିବ ନାହିଁ। ଏନେଇ ହରିୟାଣା ମେଡ଼ିକାଲ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି।
ହରିୟାଣା ମେଡ଼ିକାଲ ଆସୋସିଏସନର ଅଧ୍ୟକ୍ଷ ଡାକ୍ତର ଅଜୟ ମହାଜନ ଏକ ଚିଠି ଜାରି କରି ଏହା ଘୋଷଣା କରିଛନ୍ତି। ଏହା ଦ୍ବାରା ରାଜ୍ୟର ୫୭୫ ଘରୋଇ ହସ୍ପିଟାଲରେ ମାଗଣା ସ୍ବାସ୍ଥ୍ୟ ସେବା ନେଇ ଲୋକେ ଅସୁବିଧାରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ହରିୟାଣା ମେଡ଼ିକାଲ ଆସୋସିଏସନ ଆୟୁଷ୍ମାନ ଭାରତର ସିଇଓଙ୍କୁ ଏହି ଚିଠିରେ ବକେୟା ଥିବା ୩୦୦ କୋଟି ଶୀଘ୍ର ପୈଠ କରିବାକୁ କହିଛନ୍ତି। ତେବେ ମାର୍ଚ୍ଚ ୩୦ରେ ସ୍ଥିତିର ସମୀକ୍ଷା ପୁଣି ଥରେ କରାଯିବ। ଏହା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
ଏହା ପୂର୍ବରୁ ଫେବ୍ରୁୟାରୀ ୨୯ରେ ଉପୁଜି ଥିବା ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା। ମାତ୍ର କୌଣସି ପଦକ୍ଷେପ ଗ୍ରହଣ ନ କରାଯିବାରୁ ହରିୟାଣା ମେଡ଼ିକାଲ ଆସୋସିଏସନ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଫଳରେ ଆୟୁଷ୍ମାନ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ହସ୍ପିଟାଲରେ ମାଗଣା ସ୍ବାସ୍ଥ୍ୟ ସେବା ଆଉ ଉପଲବ୍ଧ ହେବ ନାହିଁ ବୋଲି ହରିୟାଣା ମେଡ଼ିକାଲ ଆସୋସିଏସନ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ଇତିମଧ୍ୟରେ ୧୦ ଲକ୍ଷ ହିତାଧିକାରୀ ଏହି କାର୍ଡ ମାଧ୍ୟମରେ ଆରୋଗ୍ୟ ହୋଇଛନ୍ତି। ରାଜ୍ୟରେ ଇତିମଧ୍ୟରେ ୧ କୋଟି ୩ ଲକ୍ଷରୁ ଅଧିକ ଆୟୁଷ୍ମାନ-ଚିରାୟୁ କାର୍ଡ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ୭୪,୩୩,୫୪୮ ଚିରାୟୁ କାର୍ଡ ଏବଂ ୨୮ ଲକ୍ଷ ୮୯ ହଜାର ଆୟୁଷ୍ମାନ କାର୍ଡ ରହିଛି।