୫ମ ପର୍ଯ୍ୟାୟ ମତଦାନ ପାଇଁ ଗଲେ ପୋଲିଂ ଓ ସୁରକ୍ଷାକର୍ମୀ
ମେଟ୍ରୋ ଟିଭି ଓଡିଶା (୨୩ .୨.୨୦୨୨) :
ଆସନ୍ତାକାଲି ବାଙ୍କୀ ବ୍ଲକରେ ଦିନ ପଞ୍ଚମ ପର୍ଯ୍ୟାୟ ମତଦାନ। ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ପ୍ରଦୀପ୍ତ କୁମାର ଶତପଥୀଙ୍କ ସୂଚନାକ୍ରମେ ଏହି ବ୍ଲକ ଅଧିନ ୨୦ଟି ପଞ୍ଚାୟତର ୩୩୩ଟି ବୁଥରେ ୯୧,୮୧୧ଜଣ ମତଦାତା ନିଜର ଶୃଙ୍ଖଳିତ ମତଦାନ କରି ପଞ୍ଚାୟତର ପାର୍ଥୀ ଚୟନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ ପାଇଁ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ବ୍ୟବସ୍ଥା ଶେଷ ହୋଇଛି।

ମଙ୍ଗଳବାର ଦିନ ଅପରାହ୍ନରେ ସମସ୍ତ ବୁଥ୍କୁ ନିୟୋଜିତ ହୋଇଥିବା ପ୍ରଥମ ପୋଲିଂ, ଦ୍ୱିତୀୟ ପୋଲିଂ ଅଧିକାରୀ, ପ୍ରିଜାଇଡିଂ ଅଧିକାରୀ, ସୁରକ୍ଷାକର୍ମୀଙ୍କ ସମେତ ୧୩୩୨ଜଣ ବୁଥ୍ ସାମଗ୍ରୀ ନେଇ ନିଜ ବ୍ୟବସ୍ଥିତ ସ୍ଥାନକୁ ଯାତ୍ରା ଆରମ୍ଭ କରିଛନ୍ତି। ସ୍ଥାନୀୟ ବାଙ୍କୀ ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଶିବିର ବାଙ୍କୀ ବିଡିଓ ଶ୍ରୀ ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଂଚାଳିତ ହୋଇଥିଲା ବେଳେ ୨୦ ଗୋଟି କାଉଣ୍ଟରରେ ପୋଲିଂ ପାର୍ଟିକୁ ଗନ୍ତବ୍ୟ ସ୍ଥଳକୁ ଯିବାର ବ୍ୟବସ୍ଥା କରାଯାଇଛି। ବାଙ୍କୀ ବ୍ଲକର ୩୬ଟି ମତଦାନ କେନ୍ଦ୍ର ସମ୍ବେଦନଶୀଳ ଏବଂ ୨୩ଟି କେନ୍ଦ୍ର ଅତି ସମ୍ବେଦନଶୀଳ ତଥା ଉତ୍ତେଜନାପୂର୍ଣ୍ଣ ଥିବାର ପୁଲିସ ସୂତ୍ରରୁ ସୂଚନା ମିଳିଛି। ୨୪ ତାରିଖରେ ଅନୁଷ୍ଠିତ ୫ମ ପର୍ଯ୍ୟାୟ ମତଦାନକୁ ଶୃଙ୍ଖଳିତ କରିବା ପାଇଁ ବାଙ୍କୀ ଏବଂ ବୈଦେଶ୍ୱର ପୁଲିସ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି।