ସ୍ପ୍ରେ କରି ଅଳଙ୍କାର ଓ ଟଙ୍କା ଲୁଟ

ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା । ପୁଲିସ ଡାଳେ ଡାଳେ ଗଲେ ଲୁଟେରା ପତ୍ରେ ପତ୍ରେ ଯାଉଛନ୍ତି । ଲୋକଙ୍କ ଉପସ୍ଥିତିରେ ଲୁଟେରା ବୁଲାଉଛନ୍ତି କଳାକନା । ଭୁବନେଶ୍ୱର ଶାସ୍ତ୍ରୀ ନଗରରୁ ଏଭଳି ଘଟଣା ନଜରକୁ ଆସିଛି । ରାତିରେ ଶୋଇଥିବା ଅବସ୍ଥାରେ ଲୁଟେରା ମାନେ ବେଡରୁମରେ ପଶି ସ୍ପ୍ରେ କରି ଅଳଙ୍କାର ଓ ଟଙ୍କା ଲୁଟି ନେଇଛନ୍ତି ।ଭୁବନେଶ୍ୱରରେ ପୁଣି ଲୁଟେରାଙ୍କ ଉତ୍ପାତ । ଏବେ ଆଉ ଖାଲି ଘର ନୁହେଁ, ଲୋକଙ୍କ ଉପସ୍ଥିତିରେ ଲୁଟେରା ବୁଲାଇଲେ କଳାକନା । ଶାସ୍ତ୍ରୀ ନଗର ଶନି ମନ୍ଦିର ନିକଟରେ ଥିବା ଏକ ଘର ଭିତରେ ପଶି ଆତଙ୍କ ଖେଳାଇଛନ୍ତି ଲୁଟେରା । ଜଣେ ଅଧ୍ୟାପକଙ୍କ ଘରେ ବିଳମ୍ବିତ ରାତିରେ ପଶି କରିଛନ୍ତି ଲୁଟପାଟ । ଅଧ୍ୟାପକ ଜଣକ ତାଙ୍କ ପରିବାର ସହ ଏହି ଘରେ ରୁହନ୍ତି । ରାତିରେ ଶୋଇଥିବା ଅବସ୍ଥାରେ ଲୁଟେରା ମାନେ ବେଡରୁମରେ ପଶିଥିଲେ । ସମସ୍ତଙ୍କୁ ଶୋଇବା ଦେଖି ପ୍ରଥମେ ସ୍ପ୍ରେ କରିଥିଲେ । ସମସ୍ତଙ୍କୁ ଅଚେତ କରି ଘରର ଆଲମିରା ତାଡିଥିଲେ । ଲକରରେ ଥିବା ୧୭ ଭରିର ସୁନା ଗହଣା, ଅଧାକିଲୋରୁ ଅଧିକ ରୁପା ଗହଣା ଓ ନଗଦ ୨୦ ହଜାର ଟଙ୍କା ନେଇ ଛୁ ମାରିଥିଲେ ।