ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣା
୨୦୨୩ ଅକ୍ଟୋବର ୨୯ ତାରିଖ ଦିନ ଯେଉଁ ୨ଟି ପାସେଞ୍ଜର୍ ଟ୍ରେନ୍ ଦୁର୍ଘଟଣା ଯୋଗୁଁ ୧୪ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ସେ ଟ୍ରେନ୍ ୨ଟିରୁ ଗୋଟିଏ ଟ୍ରେନ୍ର ଡ୍ରାଇଭର୍ ଓ ସହକାରୀ ଡ୍ରାଇଭର୍ ମୋବାଇଲ୍ ଫୋନ୍ରେ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ ବୋଲି ଶନିବାର ଦିନ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲା ଅନ୍ତର୍ଗତ କଣ୍ଟକପଲ୍ଲୀ ଦେଇ ଯାଇଥିବା ହାଓଡ଼ା-ଚେନ୍ନାଇ ରେଳପଥରେ ସନ୍ଧ୍ୟା ୭ଟା ବେଳେ ରାୟଗଡ଼ା ପାସେଞ୍ଜର୍ ଟ୍ରେନ୍ ବିଶାଖାପଟନମ୍ ପଲାସା ଟ୍ରେନ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ଓ ଆଉ ୫୦ଜଣ ଯାତ୍ରୀ ଆହତ ହୋଇଥିଲେ।ନୂଆ ସୁରକ୍ଷା ପଦକ୍ଷେପ ଉପରେ ଭାରତୀୟ ରେଳବାଇ ଚଳାଇଥିବା କାର୍ଯ୍ୟ ସମ୍ପର୍କରେ କହିବା ବେଳେ ବୈଷ୍ଣବ ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣାର କାରଣ କହିଛନ୍ତି। ସେ କହିଛନ୍ତି, ନିକଟ ଅତୀତରେ ଆନ୍ଧ୍ରପ୍ରଦେଶରେ ଯେଉଁ ଦୁର୍ଘଟଣା ଘଟିଲା ତା’ର କାରଣ ହେଲା, ଲୋକୋ ପାଇଲଟ୍ ଓ କୋ-ପାଇଲଟ୍ ଚାଲିଥିବା କ୍ରିକେଟ୍ ଖେଳ ଯୋଗୁଁ ଅନ୍ୟମନସ୍କ ହୋଇଯାଇଥିଲେ। ଏଭଳି ଅମନଯୋଗିତା ଚିହ୍ନଟ କରିବା ସହିତ ପାଇଲଟ୍ ଓ ସହକାରୀ ପାଇଲଟ୍ମାନେ ଟ୍ରେନ୍ ଚଳାଇବାରେ ଧ୍ୟାନ ରଖିଛନ୍ତି ବୋଲି ସୁନିଶ୍ଚିତ ହେବାକୁ ଆମେ ସିଷ୍ଟମ୍ ଲଗାଇବାକୁ ବ୍ୟବସ୍ଥା କରୁଛୁ।