କଟକର ତାରକସି କାମକୁ ମିଳିଛି ଜିଆଇ ଟ୍ୟାଗ୍ ମାନ୍ୟତା (ଭୌଗୋଳିକ ପରିଚୟ)। କଟକ ସହରର ତାରକସି କାର୍ଯ୍ୟ ଯେଭଳି ଅତୁଳନୀୟ, ଅନନ୍ୟ ଓ ଅସାଧାରଣ, ଏହାର ଇତିହାସ ମଧ୍ୟ ସେହିଭଳି ସମୃଦ୍ଧ। ଏବେ ପୂଜାପାର୍ବଣରେ ଶୋଭା ପାଉଥିବା ସୂକ୍ଷ୍ମ ତାରକସି କାରୁକାର୍ଯ୍ୟର ୩୨ ବିଶାଳ ଚାନ୍ଦିମେଢ଼ କଟକ ତାରକସି କାରିଗରଙ୍କ ମୌଳିକତା ଓ ସ୍ବତନ୍ତ୍ରତା ପ୍ରମାଣ କରୁଛି। ମାନସିଂହପାଟଣା, ମହମ୍ମଦିଆବଜାର, ଡ଼ଗରପଡ଼ା, ଅଲିଶାବଜାର, ଶେଖବଜାର, ବିଦ୍ୟାଧରପୁର ସମେତ ସହରର ଅନ୍ୟ ସାହି ପୁରୁଷାନୁକ୍ରମେ ତାରକସି କାର୍ଯ୍ୟ କରୁଥିବା ବଣିଆ ପରିବାର ବସବାସ କରୁଛନ୍ତି।ସ୍ବାଧୀନତା ପୂର୍ବରୁ ମଧୁବାବୁ ତାରକସିର ଉନ୍ନତି, ପାଇଁ ଉଦ୍ୟମ କରିଥିଲେ। ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଖୋଲା ଜିପରେ କଟକ ବୁଲୁଥିବା ବେଳେ ମହମ୍ମଦିଆବଜାର ଠାରେ ତାଙ୍କୁ ଜଣେ କାରିଗର ତାରକସି ନିର୍ମିତ ରୂପା ଗୋଲାପ ଉପହାର ଦେଇଥିଲେ। ତାହା ପାଣିରେ ଭାସୁଥିଲା। ନେହରୁ ଦିଲ୍ଲୀରେ ପହଞ୍ଚିବା ପରେ ୫୦ଟି ତାରକସି ଗୋଲାପ ପାଇଁ ଅର୍ଡର ଦେଇଥିଲେ। ପୂର୍ବତନ ରାଜ୍ୟପାଳ ଏମ୍. ଖୋସଲାଙ୍କୁ ମାନସିଂହପାଟଣାର ପୂର୍ବତନ କାରିଗର ସ୍ବର୍ଗତ ନନ୍ଦକିଶୋର ସାହୁ ତାରକସୀ ନିର୍ମିତ ହୀରାକୁଦ ବନ୍ଧ ପ୍ରତିକୃତି ପ୍ରଦାନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ମଧୁପାଟଣାରେ କଳିଙ୍ଗ ଫିଲିଗ୍ରି ପ୍ରତିଷ୍ଠା ହୋଇଥିଲା। ଏ ସଂକ୍ରାନ୍ତରେ ତାରକସି କାରିଗରଙ୍କ ପକ୍ଷରୁ ବିଧିବଦ୍ଧ ଉଦ୍ୟମ ପରେ ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇଥିଲେ। ମୋକିମ୍ କହିଛନ୍ତି ଯେ, ବିଳମ୍ବରେ ହେଉ ପଛେ କଟକ ମୌଳିକ କାର୍ଯ୍ୟ ତାରକସି କାର୍ଯ୍ୟକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି। ଏହା ବହୁ ଆଗରୁ ମିଳିବା କଥା।ରାଜ୍ୟସଭାକୁ ନିର୍ବାଚିତ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ତାରକସି କାରିଗରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ବ ପ୍ରସିଦ୍ଧ କଟକ ତାରକସି କାମର ଅଧିକରୁ ଅଧିକ ବଜାର ସୁଯୋଗ ପାଇଁ ସରକାରଙ୍କ ନିକଟରେ ତାଙ୍କର ଦାବି ସହ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି। ଜଣାଶୁଣା ତାରକସି କାରିଗର ବିଜୟ କୁମାର ସାହୁ କହିଛନ୍ତି, ଏହା କଟକବାସୀ ତଥା ସହର ତାରକସି ଶିଳ୍ପୀକୂଳ ପାଇଁ ଖୁସି ଖବର। ମାନସିଂହପାଟଣା ବାସିନ୍ଦା ରାଧାମୋହନ ସାହୁ କହିଛନ୍ତି ଯେ, ତାଙ୍କ ବଡ଼ ଭାଇ ସ୍ବର୍ଗତ ନନ୍ଦକିଶୋର ସାହୁ ୧୯୭୫/୭୬ ମସିହାରେ ଆମେରିକାରେ ଆୟୋଜିତ ଫେଷ୍ଟିଭାଲ୍ ଇଣ୍ଡିଆରେ ଅଂଶଗ୍ରହଣ କରି ତିନିମାସ କାଳ ରହିଥିଲେ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post