ନିଜ ମନ ପସନ୍ଦ କୋର୍ସରେ କରନ୍ତୁ ଆଡମିସନ୍

ବୋର୍ଡ଼ ପରୀକ୍ଷାକୁ ନେଇ ଚିନ୍ତିତ ଛାତ୍ରଛାତ୍ରୀ । ସମସ୍ତଙ୍କ ଇଚ୍ଛା ଥାଏ ଭଲ କଲେଜ ବା ବିଶ୍ୱବିଦ୍ୟାଳୟରେ ମନପସନ୍ଦ ବିଷୟ ଅଧ୍ୟୟନ କରିବେ । କିନ୍ତୁ ଅନେକ ସମୟରେ ଏହା ସମ୍ଭବ ହୋଇନଥାଏ । କେତେ ବେଳେ ଆଡମିସନର କଟ୍ ଅଫ୍ ମାର୍କ କାରଣରୁ ମେରିଟ ଲିଷ୍ଟରେ ନାଁ ନଥାଏ ତ ପୁଣି କେତେ ବେଳେ ଅଧିକ ଫି ବା ଶୁଳ୍କ କାରଣରୁ ସମସ୍ୟା ଦେଖାଦେଇଥାଏ । ଯାହା କି ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ଚିନ୍ତାର ବିଷୟ । ଯଦି ଆପଣ ଦ୍ୱାଦାଶ ପରେ ଭଲ ବିଶ୍ୱବିଦ୍ୟାଳୟ କିମ୍ବା ମନ ପସନ୍ଦର ବିଷୟରେ ଅଧ୍ୟୟନ କରିବାକୁ ଚାହୁଁଛନ୍ତି ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଛାତ୍ରବୃତ୍ତି ଉପଯୋଗୀ ହେବ । ଉଚ୍ଚ ଶିକ୍ଷା ମାଧ୍ୟମରେ ନିଜ ସ୍ୱପ୍ନ ପୁରା କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ସରକାରୀ ଛାତ୍ରବୃତ୍ତି ସ୍କୀମ୍ ପାଇଁ ଆବଶ୍ୟକ ଡିଟେଲ୍ସ ଚେକ୍ କରି ଆବେଦନ କରିପାରିବେ । ଏହା ଆପଣଙ୍କ କ୍ୟାରିୟର ଗଢ଼ିବାରେ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ଏପରି କିଛି ଟପ୍ ଛାତ୍ରବୃତ୍ତି ବିଷୟରେ:

୧. CSSS ଛାତ୍ରବୃତ୍ତି: ସେଣ୍ଟ୍ରାଲ ସେକ୍ଟର ସ୍କିମ୍ ଅଫ୍ ସ୍କଲାରଶିପ୍ (CSSS)ପାଇଁ ଦ୍ୱାଦଶ ପରେ scholarships.gov.in ରେ ଅନଲାଇନ୍ ଆବେଦନ କରିପାରିବେ । ପ୍ରତି ବର୍ଷ ୮୨ ହଜାର ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ । ଏଥିପାଇଁ ନିଜ ଷ୍ଟ୍ରିମରେ ଟପ୍ ୨୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନ ପାଇବା ବାଧ୍ୟତାମୂଳକ ଅଟେ । ସ୍ନାତକୋତ୍ତର ୩ ବର୍ଷ ପର୍ଯ୍ୟନ୍ତ ୧୦ ହଜାର ଟଙ୍କା ଏବଂ ସ୍ନାତକୋତ୍ତର ପରେ ପ୍ରତି ବର୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ ।

୨. PM ଛାତ୍ରବୃତ୍ତି ସ୍କିମ୍: ସେନା, ନୌସେନା ଏବଂ ବାୟୁସେନାରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିଲେ ପ୍ରଧାନମନ୍ତ୍ରୀ ସ୍କଲାରଶିପ୍ ସ୍କିମ୍ ଏକ ଉତ୍ତମ ବିକଳ୍ପ । ଏହି ଛାତ୍ରବୃତ୍ତିର ଲାଭ ଉଠାଇବା ପାଇଁ ଦ୍ୱାଦଶ ବୋର୍ଡ଼ ପରୀକ୍ଷାରେ ସର୍ବନିମ୍ନ ୭୫% ଉତ୍ତୀର୍ଣ୍ଣ ହେବା ଆବଶ୍ୟକ । ବୃତ୍ତିଗତ କୋର୍ସରେ ଆଡମିସନ୍ ପାଇଁ ଛାତ୍ରଛାତ୍ରୀଙ୍କୁ ୪ରୁ ୫ ବର୍ଷ ପର୍ଯ୍ୟନ୍ତ ଛାତ୍ରଙ୍କୁ ୨୫୦୦ ଏବଂ ଛାତ୍ରୀଙ୍କୁ ୩ ହଜାର ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ । ଏହି ଛାତ୍ରବୃତ୍ତି ସ୍କିମ୍ ଅନ୍ତର୍ଗତ ଆବେଦନ କରିବା ପାଇଁ ବୟସ ସୀମା ୧୮ରୁ ୨୫ ବର୍ଷ ରହିଛି ।