କଳା ସାଗରରେ ପଶିଲେ ରୁଷୀୟ ସେନା, ଗମ୍ଭୀର ହେଲା ଯୁଦ୍ଧର ଆଶଙ୍କା

#russia-showed-power-by-nuclear-drill

ମେଟ୍ରୋ ଟିଭି ଓଡିଶା (୨୧ .୨.୨୦୨୨) :

ଦିନକୁ ଦିନ ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ଲଗାତାର ବଢ଼ିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାବନୀ ଦେଇଛନ୍ତି କି, ରୁଷ୍‌ କେତେବେଳେ ବି ୟୁକ୍ରେନ ଉପରେ ଆକ୍ରମଣ କରିପାରେ। ସେ ଏହା ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଯେ ରୁଷ ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ମଧ୍ୟ ଆକ୍ରମଣ କରିପାରେ। ଏହାରି ଭିତରେ ରୁଷ୍‌ ବେଲାରୁଷରେ ଆଣବିକ ଡ୍ରିଲ କରିଛି। କଳା ସାଗରରେ ମଧ୍ୟ ରୁଷୀୟ ସେନା ଏକ୍ସରସାଇଜ୍‌ କରିଛନ୍ତି।

ସୂଚନା ମୁତାବକ, ରୁଷ୍‌ ୟୁକ୍ରେନକୁ ତିନି ପଟୁ ଘେରି ରହିଛି। ଏହାର ସୀମା ପାଖରେ ପାଖାପାଖି ୧.୫୦ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ ଅଛନ୍ତି। କିଛି ସମୟ ପୂର୍ବରୁ ଏଠାରେ ୧ ଲକ୍ଷ ସୈନ୍ୟ ମୁତୟନ ଥିବା ନେଇ ଖବର ଆସିଥିଲା। ସେହିପରି କିଛି ଦିନ ପୂର୍ବରୁ ରୁଷ୍‌ ୟୁକ୍ରେନ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା, କିନ୍ତୁ ଏବେ ସେଠି ରୁଷୀୟ ସୈନ୍ୟଙ୍କ ସଂଖ୍ୟା ହ୍ରାସ ପାଇବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ରୁଷ ୟୁକ୍ରେନ ସୀମାରେ ଯୁଦ୍ଧ ବିମାନ, ସୈନ୍ୟ ବାହିନୀ ଏବଂ ଉପକରଣ ମୁତୟନ କରି ଦେଇଛି। ସେପଟେ ଉତ୍ତେଜନା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି।

ସେ କହିଛନ୍ତି ଯେ ରୁଷ ଜାଗା ସ୍ଥିର କରୁ, ଯେଉଁଠି ଉଭୟ ଦେଶର ନେତା ବସି ଏହି ବିବାଦର ସମାଧାନ କରି ପାରିବେ। ସେ ଶନିବାର ଜର୍ମାନୀର ମ୍ୟୁନିକ୍‌ରେ ହୋଇଥିବା ଅନ୍ତର୍ଜାତୀୟ ସୁରକ୍ଷା ସମ୍ମିଳନୀରେ କହିଥିଲେ, ୟୁକ୍ରେନ ଏହି ବିବାଦକୁ କୂଟନୈତିକ ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ପାଇଁ ପଦକ୍ଷେପ ନେବ। ଯଦିଓ ସେ ଏହା ମଧ୍ୟ କହିଥିଲେ କି, ରୁଷ ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ। ସେପଟେ ୟୁରୋପିଆନ କାଉନ୍‌ସିଲ ଅଧ୍ୟକ୍ଷ ଚାର୍ଲ୍ସ ମିସେଲ କହିଛନ୍ତି ଯେ ଯଦି ସାମରିକ ଆକ୍ରୋଶ ଜାରି ରୁହେ, ତେବେ ଆମେ ରୁଷ ଉପରେ ଅନେକ ପ୍ରତିବନ୍ଧକ ଲଗାଇବୁ। ରୁଷ ୟୁକ୍ରେନ ସୀମା ନିକଟରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରି ଦେଇଛି। ୟୁକ୍ରେନ ସୀମା ନିକଟରେ ଥିବା ଡୋନେଟସ୍କରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ରୁଷ ପଠାଯାଉଛି। ରିପୋର୍ଟ ମୁତାବକ, ଏ ପର୍ଯ୍ୟନ୍ତ ୭ ଲକ୍ଷ ଲୋକଙ୍କୁ ପାସପୋର୍ଟ ପ୍ରଦାନ କରାଯାଇ ସାରିଛି। ତେବେ ଏଠାକାର ଅଧିକାରୀମାନେ କହିଛନ୍ତି ଯେ ୟୁକ୍ରେନ ସେନା ଗତ କିଛି ଦିନରୁ ଆକ୍ରମଣ କରି ଆସୁଛି, ଯେଉଁଥିରେ ୨ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି।