ମାଟ୍ରିକ୍ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା
ଆସନ୍ତା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛନ୍ତି ମାଟ୍ରିକ୍ ପରୀକ୍ଷା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବୋର୍ଡ ପକ୍ଷରୁ ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଛି। ଏହା ସହ ବ୍ୟବସ୍ଥିତ ଭାବେ ପରୀକ୍ଷାକୁ ପରିଚାଳିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟକ୍ରମ ଜାରି ରଖିଛି। ବିଶେଷକରି କପି ରୋକିବାକୁ ବୋର୍ଡ ଏଥର ନୂଆ ଫର୍ମୂଲା ଆପଣାଇଥିବା ଜଣାପଡିଛି । ତେବେ ଏଥର ପରୀକ୍ଷା ପାଇଁ ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ଅର୍ଥାତ୍ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ୭ଟା ୩୦ରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଛଡ଼ାଯିବ। ଅନ୍ୟପଟେ ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପରୀକ୍ଷା ହଲ୍କୁ ପ୍ରବେଶ ଅନୁମତି ମିଳିବନାହିଁ ବୋଲି କୁହାଯାଇଛି।ସେହିପରି କପି ରୋକିବା ପାଇଁ ଏଥର ପ୍ରଥମ ଥର ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯିବ। ଉକ୍ତ ପର୍ଯ୍ୟବେକ୍ଷକ ପ୍ରଶ୍ନପତ୍ର ଆସିବା ଠାରୁ ପରୀକ୍ଷା ସରି ଉତ୍ତର ଖାତା ଯିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଟିକିନିଖି ତଦାରଖ କରିବେ। ତେବେ ଏହି ଦାୟିତ୍ୱ ବିଇଓ, ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ। ସେପଟେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ।