ଷ୍ଟକ୍ ବଜାର ନିବେଶକମାନଙ୍କ ଲାଗି ୨୦୨୩ ଏକ ସ୍ମରଣୀୟ ବର୍ଷ: ନିବେଶକ ସଂଖ୍ୟା ୮ କୋଟି ଟପିଲା
ମୁମ୍ବାଇ: ଷ୍ଟକ୍ ବଜାର ନିବେଶକମାନଙ୍କ ସମ୍ପତ୍ତିରେ ରେକର୍ଡ ୮୦.୬୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି। ଷ୍ଟକ୍ ବଜାର ଉନ୍ନତ ପ୍ରଦର୍ଶନ କରିଛି। ଚଳିତ ବର୍ଷ ଡିସେମ୍ବର ୨୮ ସୁଦ୍ଧା ସେନ୍ସେକ୍ସରେ ୧୧,୫୬୯ ପଏଣ୍ଟ୍ର ବୃଦ୍ଧି ଘଟିଛି। ଚଳିତ ବର୍ଷ ମାର୍ଚ୍ଚ ୨୦ରେ ସେନ୍ସେକ୍ସ ଏହାର ସର୍ବନିମ୍ନ ସ୍ତର ୫୭,୦୮୪ ପଏଣ୍ଟରେ ପହଞ୍ଚିଥିବା ବେଳେ ଡିସେମ୍ବର ୨୮ରେ ସର୍ବୋଚ୍ଚ ସ୍ତର ୭୨,୮୪୮ ପଏଣ୍ଟ୍ରେ ଥିଲା।୨୦୨୨ ତୁଳନାରେ ଏଥିରେ ୧୯ ପ୍ରତିଶତ ବୃଦ୍ଧି ହୋଇଛି। ବର୍ଷକ ଭିତରେ ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୮୦.୬୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୩୬୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୩ରେ ଖୁଚୁରା ନିବେଶକମାନେ ମଧ୍ୟ ବିଶେଷ ଭାବେ ଲାଭବାନ ହୋଇଛନ୍ତି। ଖୁଚୁରା ନିବେଶକମାନେ ଆଉ ବଜାର ଅସ୍ଥିରତାକୁ ନେଇ ବିବ୍ରତ ହେଉନାହାନ୍ତି। ଚଳିତ ବର୍ଷ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ ୪ ଲକ୍ଷ କୋଟି ଡଲାର କ୍ଳବ୍ରେ ପ୍ରବେଶ କରିଛନ୍ତି। ୨୦୨୧ ମେ’ ୨୪ରେ ତିନି ଲକ୍ଷ କୋଟି ଡଲାର ସ୍ପର୍ଶ କରିଥିବା ଷ୍ଟକ୍ ବଜାର ମାତ୍ର ଦୁଇ ବର୍ଷ ଭିତରେ ଆଉ ଏକ ଲକ୍ଷ କୋଟି ଡଲାର ଯୋଡ଼ିବାରେ ସକ୍ଷମ ହୋଇଛି।