୨୭ବର୍ଷରେ ପାଦ ଦେବ ବିଜୁ ଜନତା ଦଳ
ଭୁବନେଶ୍ବର: ଆସନ୍ତାକାଲି ବିଜେଡିର ପ୍ରତିଷ୍ଠା ଦିବସ । ୨୬ ପୂରି ୨୭ବର୍ଷରେ ପାଦ ଦେବ ବିଜୁ ଜନତା ଦଳ । ଏହି ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ସେବା ଓ ବିକାଶର ବାର୍ତ୍ତା ଦେବ ବିଜେଡି । ଆସନ୍ତାକାଲି ୨୭ବର୍ଷରେ ପଦାର୍ପଣ କରିବ ବିଜୁ ଜନତା ଦଳ । ଗତ ୨୬ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନତାଙ୍କ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରି ଆସୁଛି ବିଜେଡି । ଏହା ଭିତରେ ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ବିଜେଡି ରାଜନୈତିକ କାର୍ଯ୍ୟକ୍ରମ ସହିତ ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳମାନଙ୍କ ଭିତରେ ସ୍ବତନ୍ତ୍ର ସ୍ଥାନ ପାଇଛି । ଯାହା ଦଳକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିଛି ।ଆଗାମୀ ଦିନରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇଥିବା ବିକାଶଧାରାକୁ ବଜାୟ ରଖିବା ପାଇଁ ଏହା ଶକ୍ତି ଯୋଗାଇଛି। ନିର୍ବାଚନ ହେଉ କି ଉପନିର୍ବାଚନ, ସବୁଥିରେ ବିଜେଡିକୁ ମିଳିଛି ଅପୂର୍ବ ସଫଳତା । ୨୦୨୪ ନିର୍ବାଚନର ବି ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ମିଶନ ୧୩୦କୁ ନେଇ କାମ କରୁଛି ବିଜେଡି।
ବିଜେଡିର ୨୭ତମ ପ୍ରତିଷ୍ଠା ସମାରୋହ ସମସ୍ତ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ପାଳନ କରାଯିବ। ଏହି ଦିବସରେ ଗଣଦୌଡ଼ ସହ ସାଇକେଲ ରାଲି ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା କରାଯିବ। ସେହିପରି ଶଂଖ ଭବନ ସମେତ ବିଭିନ୍ନ ସ୍ଥାନରେ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଉଛି ।