ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ନିଷ୍ପତ୍ତି ନେଲେ ପୁନିଆ
ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ନିଷ୍ପତ୍ତି ନେଲେ ପୁନିଆ । ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫ୍ଆଇ)ର ନିର୍ବାଚନ ପରେ ପଦ୍ମଶ୍ରୀ ପୁରସ୍କାର ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ | ବଜରଙ୍ଗ ପୁନିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ ଲେଖିଛନ୍ତି, ‘ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଚଳିତ ବର୍ଷ ଜାନୁୟାରୀ ମାସରେ ଦେଶର ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। କୁସ୍ତି ସଙ୍ଗଠନ ବିରୋଧରେ ଯେତେବେଳେ ସେହି ମହିଳା କୁସ୍ତିଯୋଦ୍ଧାମାନେ ଆନ୍ଦୋଳନ ଆରମ୍ଭ କଲେ, ମୁଁ ମଧ୍ୟ ଏଥିରେ ଜଡିତ ହେଲି | ଜାନୁଆରୀରେ ଯେତେବେଳେ ସରକାର ସେମାନଙ୍କୁ ଠୋସ୍ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଲେ ସେତେବେଳେ ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନେ ନିଜ ଘରକୁ ଫେରିଥିଲେ। କିନ୍ତୁ ତିନିମାସ ପରେ ମଧ୍ୟ ଯେତେବେଳେ ବ୍ରିଜଭୂଷଣଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇ ନଥିଲା, ସେତେବେଳେ ଏପ୍ରିଲ୍ ମାସରେ, ଆମେ କୁସ୍ତିଯୋଦ୍ଧାମାନେ ପୁନର୍ବାର ରାସ୍ତାରେ ଯାଇ ବିରୋଧ କରିଥିଲୁ |