ବିରାଟ କୋହଲିଙ୍କ ୫୦ତମ ଦିନିକିଆ ଶତକ ହାସଲ

ମୁମ୍ବାଇ: ବିରାଟ କୋହଲି ଏକଦିବସୀୟ କ୍ରିକେଟ୍‌ର ମାଷ୍ଟର୍‌ ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ଟି ଶତକକୁ ପଛରେ ପକାଇ  ୫୦ତମ ଦିନିକିଆ ଶତକ ହାସଲ କରି ନୂଆ ବିଶ୍ବ କୀର୍ତ୍ତିମାନ କରିଛନ୍ତି। ଐତିହାସିକ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଆଇସିସି ଦିନିକିଆ ବିଶ୍ବକପ୍‌ର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ସେମିଫାଇନାଲ୍‌ରେ ବିରାଟ ୧୧୩ ବଲ୍‌ରୁ ୧୧୭ ରନ୍‌ର ସଂଘର୍ଷପୂର୍ଣ୍ଣ ଶତକୀୟ ପାଳି ଖେଳି ଇତିହାସ ପୃଷ୍ଠାରେ ନୂଆ ଫର୍ଦ ଯୋଡ଼ିଛନ୍ତି।  ମ୍ୟାଚ୍‌ର ୪୨ତମ ଓଭରରେ ଲୋକି ଫର୍ଗୁସନ୍‌ଙ୍କ ବଲକୁ ମିଡ୍‌ୱିକେଟ୍ ଅଞ୍ଚଳକୁ ପଠାଇ ୨ ରନ୍‌ ନେବା ପରେ କୋହଲିଙ୍କ ଏହି ଚିର ସ୍ମରଣୀୟ ପାଳିକୁ ୱାଙ୍ଖ୍‌ଡେ ଦର୍ଶକ ଠିଆ ହୋଇ ଅଭିବାଦନ ଜଣାଇଥିଲେ।  କିଙ୍ଗ୍ କୋହଲିଙ୍କ ଏହି ମାଇଲଖୁଣ୍ଟ ଶତକ ମୁହୂର୍ତକୁ ଫୁଟ୍‌ବଲ୍ କିଂବଦନ୍ତି ଡେଭିଡ୍ ବେକହାମ ମଧ୍ୟ ୱାଙ୍ଖ୍‌ଡେରେ ରହି ଉପଭୋଗ କରିବା ଭିନ୍ନ ପରିବେଶ ଆଣି ଦେଇଥିଲା।

କୋହଲିଙ୍କ ଏହି ୧୧୩ ବଲ୍‌ରୁ ୧୧୭ ରନ୍‌ ପାଳିରେ ୧୧ ଚୌକା ଓ ୨ ଛକା ସାମିଲ ଥିଲା। ଏହି ପାଳି ଅବସରରେ ସେ ଗୋଟିଏ ସଂସ୍କରଣ ବିଶ୍ବକପ୍‌ରେ ସର୍ବାଧିକ ରନ୍‌ ୭୧୧ ଏବଂ ସର୍ବାଧିକ ୫୦+ ସ୍କୋର୍‌ ୮ ଥର ରେକର୍ଡକୁ ମଧ୍ୟ ନିଜ ନାମରେ କରି ନେଇଥିଲେ।   କୋହଲି ଏ ପର୍ଯ୍ୟନ୍ତ ୨୯୧ ମ୍ୟାଚ୍‌ର ୨୭୯ ପାଳିରୁ ୧୩,୭୯୪ ରନ୍ ସଂଗ୍ରହ କରିସାରିଛନ୍ତି। ଚଳିତ ବିଶ୍ବକପ୍‌ ସଂସ୍କରଣରେ କୋହଲିଙ୍କ ଏହା ତୃତୀୟ ଶତକ। ପୂର୍ବରୁ ସେ ବାଂଲାଦେଶ ବିପକ୍ଷରେ ୧୦୩ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୧ କରିଥିଲେ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନଙ୍କ ୪୯ତମ ଶତକର ସମକକ୍ଷ ହୋଇଥିଲେ।