ବିଶ୍ବକପରେ ଆଜି ଭାରତ, ପାକିସ୍ତାନ ମ୍ୟାଚ୍
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ମୈଦାନ ପ୍ରସ୍ତୁତ । ଭାରତ-ପାକିସ୍ତାନ ଖେଳାଳିମାନେ ପ୍ରସ୍ତୁତ । ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ମ୍ୟାଚ । ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପାକିସ୍ତାନ ଅଧିନାୟକ ବାବର ଆଜାମ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଜିତିବା ପାଇଁ ପଡିଆକୁ ଓହ୍ଲାଇବେ । ରୋହିତ ଶର୍ମା କହିଛନ୍ତି ଯେ ଓପନର୍ ଶୁଭମାନ ଗିଲ ପ୍ରତ୍ୟାବର୍ତ୍ତନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସେ ମ୍ୟାଚ୍ ପାଇଁ ୯୯ ପ୍ରତିଶତ ଉପଲବ୍ଧ | ଶୁକ୍ରବାର ଦିନ ଗିଲ ମଧ୍ୟ କଠିନ ଅଭ୍ୟାସ କରିଥିଲେ ଏବଂ ଭଲ ପ୍ରଦର୍ଶନ କରୁଛନ୍ତି । ବିଶ୍ୱକପରେ ଅଷ୍ଟମ ଥର ପାଇଁ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ଏପର୍ଯ୍ୟନ୍ତ ୭ ଟି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରିଛି। ସୋସିଆଲ ମିଡିଆରେ ଏହାକୁ ନେଇ ବେଶ ଆଲୋଚନା ଚାଲିଛି । ଭାରତୀୟ ପ୍ରଶଂସକମାନେ ଆଶା କରିଛନ୍ତି ଆଜି ସ୍କୋର ୮-୦ ହେବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅପରାହ୍ନ 2 ଟାରୁ ଆରମ୍ଭ ହେବ । ଭାରତର ଅଧିନାୟକ ରୋହିତ ଶର୍ମା କହିଛନ୍ତି କିଏ ଖେଳିବ ତାହାକୁ ପିଚ୍ କୁ ଦେଖି ସ୍ଥିର କରାଯିବ । ଏହି ୱିକେଟରେ ତିନି ଜଣ ସ୍ପିନରଙ୍କ ସହ ଖେଳିବାକୁ ନେଇ ସେ କହିଛନ୍ତି ଯଦି ପରିବର୍ତ୍ତନ ଆବଶ୍ୟକ ହୁଏ ତାହେଲେ କରାଯିବ ।