ଦକ୍ଷତା ବିକାଶକୁ ଅଧିକ ଆକାଂକ୍ଷୀ କରିବାକୁ ହେବ
ନୂଆଦିଲ୍ଲୀ: ଦେଶ ପାଖରେ ଥିବା ସମ୍ବଳର ଉପଯୋଗ କରିବା ପାଇଁ ଯୁବ ଶକ୍ତି ଭଳି ଗୁରୁତ୍ତ୍ୱପୂର୍ଣ୍ଣ ଶକ୍ତିର ଆବଶ୍ୟକତା ରହିଛି । ଏହି ଯୁବଶକ୍ତି ଯେତେ ସଶକ୍ତ ହେବ ଦେଶର ବିକାଶ ସେତେ ଅଧିକ ହେବ ବୋଲି ‘କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୩’ରେ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁ ଦେଶ ପାଖରେ ପ୍ରାକୃତିକ ସମ୍ବଳ, ଖଣିଜ ସମ୍ପଦ ଏବଂ ସୁଦୀର୍ଘ ସମୁଦ୍ର ବେଳାଭୂମି ଭଳି ଭିନ୍ନ ଭିନ୍ନ ସାମର୍ଥ୍ୟ ରହିଛି । କିନ୍ତୁ ଏହି ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଯେଉଁ ମହତ୍ତ୍ୱପୂର୍ଣ୍ଣ ଶକ୍ତିର ଆବଶ୍ୟକତା ରହିଛି ତାହା ହେଉଛି ଯୁବ ଶକ୍ତି । ଏହି ଯୁବଶକ୍ତି ଯେତେ ସଶକ୍ତ ହେବେ ସେତେ ଦେଶର ବିକାଶ ହେବ । ଆଜି ଭାରତ ଏହି ଭାବନା ସହ ନିଜର ଯୁବଶକ୍ତିଙ୍କୁ ସଶକ୍ତ କରୁଛି । ସମଗ୍ର ପରିସଂସ୍ଥାନରେ ଅଭୁତପୂର୍ବ ପରିବର୍ତ୍ତନ ଆଣୁଛି ଏବଂ ଏଥିରେ ମଧ୍ୟ ଦେଶ ଦୁଇ ପ୍ରକାର ପଦକ୍ଷେପ ନେଉଛି । ଯୁବବର୍ଗଙ୍କୁ ଦକ୍ଷ କରିବା ସହ ଶିକ୍ଷା ଦ୍ୱାରା ନୂଆ ସୁଯୋଗର ଲାଭ ଉଠାଇବା ପାଇଁ ପ୍ରସ୍ତୁତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।