ଭାରତ ସହିତ ଉତ୍ତମ ସଂପର୍କ ରଖିବାକୁ କାନାଡ଼ା ପ୍ରତିଶ୍ରୁତିବଦ୍ଧ: ଟ୍ରୁଡ଼ୋ
ଭାରତ ସହିତ ଉତ୍ତମ ସଂପର୍କ ରଖିବାକୁ କାନାଡ଼ା ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡ଼ୋ । କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ ଭାରତ ସହିତ ସଂପର୍କ ସ୍ଥାପନକୁ ନେଇ ଏକ ସକାରାତ୍ମକ ବାର୍ତ୍ତା ଦେଇଛନ୍ତି। ଭାରତ ସହିତ ସଂପର୍କ ମଜଭୁତ କରିବାକୁ କାନାଡ଼ା ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ବିଶ୍ବରେ ଭାରତର ପ୍ରଭାବ ବଢ଼ୁଛି। ଏଭଳି ସ୍ଥିତିରେ ଭାରତ ସହିତ ସଂପର୍କ ରକ୍ଷା କରିବା କାନାଡ଼ା ଏବଂ ଏହାର ମିତ୍ର ରାଷ୍ଟ୍ରଗୁଡ଼ିକ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମଣ୍ଟ୍ରିଲଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରୁଡ଼ୋ କହିଛନ୍ତି। ଭାରତ ଏକ ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ଏବଂ ଭୌଗୋଳିକ-ରାଜନୈତିକ ଶକ୍ତି। ଗତବର୍ଷର ଭାରତ-ପ୍ରଶାନ୍ତ ମହାସାଗର ରଣନୀତି ଅନୁଯାୟୀ ଭାରତ ସହିତ ନିବିଡ଼ ସଂପର୍କ ରଖିବା ପାଇଁ ଆମେ ଅତ୍ୟନ୍ତ ଆଗ୍ରହୀ। ଟ୍ରୁଡ଼ୋ ଏହା ମଧ୍ୟ କହିଛନ୍ତି ଯେ ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା ସମୟରେ ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ନିଜାର ପ୍ରସଙ୍ଗ ଉଠାଇଛନ୍ତି ଏବଂ ଭାରତକୁ ତଦନ୍ତରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।