୧୦ ଦିନ ଧରି ଜାରି ରହିଛି ଶିକ୍ଷକଙ୍କ ଆନ୍ଦୋଳନ
ଭୁବନେଶ୍ବର: ଆଲୋଚନା ଚାଲିଛି କିନ୍ତୁ ଫଳ ଶୂନ । ସରକାର ଏବଂ ଶିକ୍ଷକଙ୍କ ମଧ୍ୟରେ ଆଲୋଚନା ଚାଲିଛି କିନ୍ତୁ ବାଟ ବାହାରିପାରୁନି । ଦୁଇଟି ସଂଘ ସରକାରଙ୍କ କଥା ମାନିଛନ୍ତି । ଆଉ ଆଠଟି ସଂଘ ମାନିନାହାଁନ୍ତି ।୧୦ ଦିନ ଧରି ୧୦ଟି ଶିକ୍ଷକ ସଂଘଠନ ତିନି ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଥିଲେ । ଫଳରେ ରାଜ୍ୟରେ ପାଠପଢା ଠପ୍ ହୋଇଯାଇଥିଲା । ଆନ୍ଦୋଳନକୁ ସୋମବାର କିଛି ଦିନ ପାଇଁ ସ୍ଥଗିତ ରଖିଥିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ । ଫେଡରେସନର ମହାସଚିବ ଚାରୁଲତା ମହାପାତ୍ର ଗଣମାଧ୍ୟମ ସମ୍ମୁଖରେ କହିଥିଲେ ଦାବି ପୂରଣ ପାଇଁ ସରକାର ଡିସେମ୍ବର ମାସ ପର୍ଯ୍ୟନ୍ତ ସମୟ ନେଇଛନ୍ତି । ସେଥିପାଇଁ ଆନ୍ଦୋଳନକୁ ସ୍ଥଗିତ ରଖାଗଲା । ସେପଟେ ଅନ୍ୟ ଆଠଟି ସଂଗଠନ ଏହାକୁ ବିରୋଧ କରିଥିଲେ । ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି । ଶିକ୍ଷକଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର ଡିଭାଇଡ ଆଣ୍ଡ୍ ରୁଲ ଅର୍ଥାତ୍ ବିଭାଜନ ମାଧ୍ୟମରେ ଶାସନ କରି ଶିକ୍ଷକ ସଂଗଠନକୁ ଦୁଇ ଭାଗ କରିଛନ୍ତି । ଦୁଇଟି ସଂଗଠନ ଆନ୍ଦୋଳନରୁ ଓହରିଛନ୍ତି କିନ୍ତୁ ଅନ୍ୟ ଆଠଟି ସଂଗଠନ ଆନ୍ଦୋଳନ ଜାରି ରଖିବେ ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ ବୋଲି କହିଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବ୍ରହ୍ମାନନ୍ଦ ମହାରଣା ।