ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କଟକ: ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଛି ।  ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି ।  ୯୫ ବର୍ଷ ବୟସରେ କଟକର ଏସସିବି ମେଡିକାଲରେ ପରେଲାକ । ନିମୋନିଆ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ବ୍ରେନ୍ ଷ୍ଟୋକ ହେବାରୁ ମୃତ୍ୟୁ ହୋଇଥିବା ସୂଚନା । ଅଗଷ୍ଟ ୪ ତାରିଖରେ ଜୟନ୍ତ ମହାପାତ୍ର ଅସୁସ୍ଥ ହୋଇପଡିବାରୁ କଟକ ବଡ ମେଡିକାଲକୁ ଅଣାଯାଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ବେଳେ ହଠାତ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା ।

ଜୟନ୍ତ୍ର ମହାପାତ୍ର ୧୯୨୮ ଅକ୍ଟୋବର ୨୨ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ କଟକସ୍ଥିତ ଷ୍ଟିୱାର୍ଟ ସ୍କୁଲରେ ପାଠ ପଢ଼ିଥିଲେ। ବିହାରର ପାଟଣା ବିଶ୍ବବିଦ୍ୟାଳୟରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୪୯ ମସିହା ଠାରୁ ରାଜ୍ୟ ସରକାରଙ୍କ ବିଭିନ୍ନ କଲେଜ (ସମ୍ବଲପୁରସ୍ଥିତ ଗଂଗାଧର ମେହେର କଲେଜ, ଭୁବନେଶ୍ବରସ୍ଥିତ ବିଜେବି କଲେଜ, ବାଲେଶ୍ବରସ୍ଥିତ ଫକୀର ମୋହନ କଲେଜ ଓ କଟକସ୍ଥିତ ରେଭେନ୍ସା କଲେଜ)ରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ। ୧୯୮୬ ମସିହାରେ ସେ ବର୍ତ୍ତମାନର ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଅବସର ନେଇଥିଲେ। ୧୯୬୦ ମସିହା ପରେ ସେ ଲେଖକ ଜୀବନ ଆରମ୍ଭ କରିଥିଲେ। ଇଂରାଜୀ ସାହିତ୍ୟରେ ତାଙ୍କର ଭଲ ଦକ୍ଷତା ଥିଲା। ଇଂରାଜୀ କବିତା ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୦‌୯ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧୀ ପ୍ରଦାନ କରିଥିଲେ।

କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ କରି ମୁଖ୍ୟମନ୍ତ୍ରୀ ତାଙ୍କର ଶୋକ ବାର୍ତ୍ତାରେ କହିଛନ୍ତି ଯେ ଯଶ୍ବସୀ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।