ଜାନୁଆରୀରେ ରେର୍କଡ କଲା ଜିଏସ୍ଟି ଆଦାୟ
ମେଟ୍ରୋ ଟିଭି ଓଡିଶା,୧/୨ : ଜାନୁଆରୀ ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଦାୟ ୧.୩୮ ଲକ୍ଷ କୋଟି ଟଙ୍କା ଛୁଇଁଛି । ଗତ ବର୍ଷ ସମାନ ସମୟ ତୁଳନାରେ ପରୋକ୍ଷ ଟିକସ ଆଦାୟ ୧୫% ବୃଦ୍ଧି ଘଟିଛି । ଜାନୁଆରୀ ୩୦ ସୁଦ୍ଧା ୧.୦୫ କୋଟି ଜିଏସ୍ଟିଆର୍-୩ବି ଫାଇଲ କରାଯାଇଛି । ଏହା ମଧ୍ୟରେ ୩୬ ଲକ୍ଷ ତ୍ରୈମାସିକ ରିଟର୍ନ ସାମିଲ ଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଲଗାତାର ୪ ମାସ ହେବ ଜିଏସ୍ଟି ଆଦାୟ ୧.୩୦ ଲକ୍ଷ କୋଟି ଟଙ୍କା ଟପୁଛି । ଜାନୁଆରୀରେ ଆଦାୟ ହୋଇଥିବା ମୋଟ ଜିଏସ୍ଟି ମଧ୍ୟରେ କେନ୍ଦ୍ର ଜିଏସ୍ଟି ବାବଦ ୨୪,୬୭୪ କୋଟି, ୭୨,୦୩୦ କୋଟି ଟଙ୍କାର ସମନ୍ୱିତ ଜିଏସ୍ଟି ୩୨,୦୧୬ କୋଟି ଟଙ୍କାର ରାଜ୍ୟ ଜିଏସ୍ଟି ଏବଂ ୯, ୬୭୪ କୋଟି ଟଙ୍କାର ସେସ୍ ସାମିଲ ରହିଛି ।
ସୂଚନା ଅନୁଯାୟୀ,୨୦୨୧ ଏପ୍ରିଲରେ କେନ୍ଦ୍ର ସରକାର ସର୍ବାଧିକ ୧.୩୯ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଆଦାୟ କରିବାକୁ ସକ୍ଷମ ହୋଇଥିଲେ । ସେହିଭଳି ୨୦୨୦ ତୁଳନାରେ ଜିଏସ୍ଟି ଆଦାୟ ୨୫% ଉର୍ଦ୍ଧ୍ୱରେ ରହିଛି । ଅର୍ଥନୈତିକ ସୁଧାର, ଟିକସ ଚୋରି ଉପରେ କାର୍ଯ୍ୟାନୁଷ୍ଠାନ ଭଳି ବିଭିନ୍ନ ପଦକ୍ଷେପ ଯୋଗୁ ଟିକସ ଆଦାୟରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି ।