ସରକାରଙ୍କୁ ଚିଠି ଲେଖିଲା ଇଭି ନିର୍ମାତା ସଂଘ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ (ଇଭି) କିଣିଥିବା ଗ୍ରାହକମାନଙ୍କୁ ସବ୍‌ସିଡି ରାଶି ଫେରାଇବାକୁ କୁହାଯାଇପାରେ। ଏବାବଦରେ ଇଲେକ୍ଟ୍ରିକ୍ ଯାନ ନିର୍ମାତା ସଂଘ ଏସ୍‌ଏମ୍‌ଇଭି ପକ୍ଷରୁ ସରକାରଙ୍କୁ ଏକ ପତ୍ର ଲେଖାଯାଇଛି। ଦୁଇଚକିଆ ଇଭି ଉପରେ ଦିଆଯାଇଥିବା ୪୬୯ କୋଟି ଟଙ୍କାର ସବ୍‌ସିଡି ଫେରାଇବା ଲାଗି ୭ଟି କଂପାନିକୁ ସରକାର କହିଛନ୍ତି। ସେଥିରେ ହିରୋ ଇଲେକ୍ଟ୍ରିକ୍, ଓକିନାୱା, ଏମ୍ପିୟର ଇଭି, ନେବଲିଙ୍ଗ ଇଣ୍ଡିଆ, ଆମୋ ମୋବିଲିଟି ଓ ଲୋହିଆ ଅଟୋର ନାମ ରହିଛି। ଫେମ୍‌-୨ ନିୟମ ଉଲ୍ଲଂଘନ କରି ଏହି କଂପାନିଗୁଡ଼ିକ ସବ୍‌ସିଡି ହାସଲ କରିଥିବା ଅଭିଯୋଗ ରହିଛି।ଏସ୍‌ଏମ୍‌ଇଭି ପକ୍ଷରୁ ସରକାରଙ୍କୁ ପତ୍ର ଲେଖି କୁହାଯାଇଛି ଇଭି କଂପାନିଗୁଡ଼ିକ ଲାଗି ସରକାର ସବ୍‌ସିଡି ବନ୍ଦ କରିଦେଇଛନ୍ତି। କଂପାନିଗୁଡ଼ିକ ଗ୍ରାହକଙ୍କୁ ଯେଉଁ ସବ୍‌ସିଡି ଦେଇଛନ୍ତି ତାହାକୁ‌ ଫେରାଇ ଆଣି କଂପାନିମାନଙ୍କୁ ଦିଆଯାଉ। ଗ୍ରାହକମାନଙ୍କଠାରୁ ଅଧିକ ଅର୍ଥ ଅସୁଲ କରିଥିବା କଂପାନିଗୁଡ଼ିକୁ ଅତିରିକ୍ତ ରାଶି ଫେରସ୍ତ କରିବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଫେଜଡ୍‌ ମାନୁଫାକ୍‌ଚରିଂ ପ୍ରୋଗାମ (ପିଏମ୍‌ପି) ଅଧୀନ‌ରେ ଥିବା ନିୟମକୁ ବହୁ ଇଭି ନିର୍ମାତା ଉଲ୍ଲଂଘନ କରୁଥିବା ଅଭିଯୋଗ ସରକାରଙ୍କ ନିକଟରେ ପହଞ୍ଚିଥିଲା।