ଭାରତକୁ ହରାଇଲା ୱେଷ୍ଟଇଣ୍ଡିଜ୍
ବାର୍ବାଡସ୍: ୱେଷ୍ଟଇଣ୍ଡିଜ୍ କେନସିଙ୍ଗଟନ୍ ଓଭାଲ୍ରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ରେ ୬ ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା। ରୋହିତ ଶର୍ମା ଓ ବିରାଟ କୋହଲି ବିଶ୍ରାମ ନେଇଥିଲା ବେଳେ ତାଙ୍କ ସ୍ଥାନରେ ସଞ୍ଜୁ ସାମସନ୍ ଓ ଅକ୍ଷର ପଟେଲ୍ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଥିଲେ। ସଞ୍ଜୁ ୯ ଓ ଅକ୍ଷର ୧ରନ୍ କରିଥିଲେ। କେବଳ ଗିଲ୍ ଓ ଈଶାନ ୧୬.୫ ଓଭରରେ ୯୦ ରନ୍ର ମଜବୁତ୍ ଭାଗୀଦାରି କରିଥିଲେ। ଈଶାନ ୫୫ ରନ କରି ପ୍ୟାଭିଲିଅନ୍ ଫେରି ଆସିଥିଲେ। ହାର୍ଦିକ ପାଣ୍ଡ୍ୟା ୭ ରନ୍ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୨୪ ଓ ରବୀନ୍ଦ୍ର ଜାଦେଜା ୧୦ ଦୁଇ ଅଙ୍କରେ ପହଞ୍ଚିପାରିଥିଲେ ବି ଲମ୍ବା ସମୟ ପର୍ଯ୍ୟନ୍ତ ଖେଳିପାରିନଥିଲେ। ଦୁଇ ଥର ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଭାରତ ପାଳି ୪୦.୫ ଓଭରରେ ଶେଷ ହୋଇଯାଇଥିଲା।
ଭାରତ ଦ୍ବାରା ଧାର୍ଯ୍ୟ ୧୮୨ ରନ୍ର ଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍ ୩୬.୪ ଓଭରରେ ହାସଲ କରିଥିଲା। ପ୍ରଥମ ମ୍ୟାଚ୍ରେ କୁଲଦୀପ-ଜାଦେଜା ଯୋଡ଼ି ଯେଉଁ ପ୍ରଦର୍ଶନ ଦେଇଥିଲେ, ଦ୍ବିତୀୟ ମ୍ୟାଚ୍ରେ ଉଭୟ ସଂପୂର୍ଣ୍ଣ ଭାବେ ପ୍ରଭାବହୀନ ହୋଇଥିଲେ। ଶାର୍ଦ୍ଦୁଳ ଠାକୁର ପ୍ରଥମ ତିନି ୱିକେଟ୍ ଖସାଇଥିଲେ ବି କାଇଲ୍ ମାୟର୍ସ ୩୬ ରନ୍ର ଦ୍ରୁତ ପାଳି ଖେଳିଥିଲେ। ପରେ ଅଧିନାୟକ ସାଇ ହୋପ୍ଙ୍କ ଅପରାଜିତ ଅର୍ଦ୍ଧଶତକ ୬୩* ସହିତ କିସି କାର୍ଟି ୪୮* ଘରୋଇ ଦଳକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲେ। ମ୍ୟାଚ୍ ବିଜୟୀ ପାଳି ପାଇଁ ହୋପ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।