ପୂର୍ବ ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତଙ୍କ ଆସ୍ଥାଭାଜନ ହୋଇପାରିଥିବା ଏମ୍ସ ଭୁବନେଶ୍ୱର ୧୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଏମ୍ସ ପକ୍ଷରୁ ଇ-ଅଫିସ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହି ସୁବିଧା ଏମ୍ସରେ ପ୍ରାଶାସନିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବେଶ ଉନ୍ନତି ଆଣିବ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ଅଭିଯାନକୁ ସାକାର କରିବା ଲକ୍ଷ୍ୟରେ ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଇ-ଅଫିସ୍ ବ୍ୟବସ୍ଥା ନିଷ୍ପତି ନେବା ପ୍ରକ୍ରିୟାକୁ ମଧ୍ୟ ଗତି ପ୍ରଦାନ କରିବ। ଯାହାକି ଏମ୍ସର କାର୍ଯ୍ୟଧାରାକୁ ଆହୁରି ଅଧିକ ଆଗକୁ ନେବ ବୋଲି ଏହି ଜାତୀୟ ସ୍ବାସ୍ଥ୍ୟ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି।
୧୧ତମ ପ୍ରତିଷ୍ଠା ଦିବସ ଅବସରରେ ଏମ୍ସ ଧର୍ମଶାଳା ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ପର୍ଯ୍ୟାୟକ୍ରମେ ଏହି ଧର୍ମଶାଳା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାନେଇ ସୂଚନା ମିଳିଛି। ରୋଗୀ କିମ୍ବା ସେମାନଙ୍କର ସମ୍ପର୍କୀୟ ଏହି ଧର୍ମଶାଳାର ସୁବିଧା ନେବାକୁ ହେଲେ ଧର୍ମଶାଳା କମିଟି କିମ୍ବା ଏମ୍ସ ମେଡିକାଲ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ପଡ଼ିବ।
ମୁଖ୍ୟ ଅତିଥି ଭାବରେ ଏମ୍ସ ପାଟ୍ନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଗୋପାଳ କୃଷ୍ଣ ପାଲ ଅଭିଭାଷଣ ପ୍ରଦାନ କରି ଏନ୍ଆଇଆରଏଫ୍ ତାଲିକାରେ ଏମ୍ସ ଭୁବନେଶ୍ୱର ୨୬ରୁ ୧୭ତମ ସ୍ଥାନକୁ ଲମ୍ଫ ପ୍ରଦାନ କରି ଜାତୀୟସ୍ତରରେ ଗୌରବ ବୃଦ୍ଧି କରିଥିବାରୁ ଅଭିନନ୍ଦନ ଜଣାଇଥିଲେ। ସେହିପରି ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ଅନୁଷ୍ଠାନ ଇଣ୍ଡିଆ ଟୁଡେରେ ମଧ୍ୟ ଏମ୍ସ ଭୁବନେଶ୍ବର ୨୦ରୁ ୧୮ତମ ସ୍ଥାନକୁ ଉନ୍ନୀତ ହୋଇଛି।
ଏହି ସମାବେଶକୁ ସମ୍ବୋଧିତ କରି ଏମ୍ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର ମଣିଷ ଜୀବନରେ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।