ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି
ପୁରୀ: ଆଜି ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନୀତି । ଦ୍ବିପ୍ରହର ଧୂପ ନୀତି ପରେ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ ମହାପ୍ରଭୁ । ମାଆ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଉଦ୍ଦେଶ୍ୟରେ ରସଗୋଲା ଭୋଗ କରାଯିବାର ପରମ୍ପରା ରହିଛି । ଗତକାଲି ମହାପ୍ରଭୁଙ୍କ ଅଧରପଣାର ଦିବ୍ୟଲୀଳା ଦେଖିବା ପାଇଁ ସିଂହଦ୍ବାର ସମ୍ମୁଖରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ।
ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଦେଇ ତୋଷ କରିବାର ପରମ୍ପରା ଆଧାରରେ ନୀଳାଦ୍ରି ବିଜେ ଦିନ ଆଜି ପାଳିତ ହେଉଛି ରସଗୋଲା ଦିବସ। ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ କେବଳ ନୀଳାଦ୍ରି ବିଜେ ଦିନ ହିଁ ରସଗୋଲା ଭୋଗ ହେବା ପରମ୍ପରା ରହିଛି। ମହାପ୍ରଭୁ ପହଣ୍ଡି ବିଜେରେ ଭିତର କାଠ ସମ୍ମୁଖ ଭଣ୍ଡାର ଘର ଠାରେ ପହଞ୍ଚିବା ପରେ ରୁକ୍ମିଣୀ ବିବାହ କାଳର ଗଇଁଠାଳ ଫିଟେ ଓ ବନ୍ଦାପନା, ରସଗୋଲା ଭୋଗ, ଇତ୍ୟାଧି ଭିତରଚ୍ଛ ମହାପାତ୍ରଙ୍କ ଦ୍ବାରା ସମାହିତ ହୁଏ। ପରେ ଘସା, ବିଡ଼ିଆ ମଣୋହି ସରିଲେ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଥାନ୍ତି। ଭିତରଚ୍ଛ ମହାପାତ୍ର ନିଜ ଘରେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ରସଗୋଲା ତିଆରି କରି ଆଣନ୍ତି। କଥିତ ଅଛି ମହାପ୍ରଭୁ ମହାଲକ୍ଷ୍ମୀ ଦେବୀଙ୍କୁ ରସଗୋଲା ଖୁଆଇ ତାଙ୍କର ମାନଭଞ୍ଜନ କରିଥିଲେ।