ପାରମ୍ପରିକ ୟୁରିଆ ସାର ଯୋଗାଇ ଦେବାକୁ କେନ୍ଦ୍ରକୁ ପ୍ରସ୍ତାବ
ଭୁବନେଶ୍ୱର: ରାଜ୍ୟକୁ ଆବଶ୍ୟକ ପରିମାଣର ପାରମ୍ପରିକ ୟୁରିଆ ସାର ମିଳୁନଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାର ଯୋଗାଇ ଦେବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ନାନୋ ୟୁରିଆ ଟେକ୍ନୋଲୋଜି ବ୍ୟବହାର ନେଇ କେନ୍ଦ୍ର କୃଷିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କୃଷିମନ୍ତ୍ରୀ ଏହି ଦାବି କରିଛନ୍ତି । ଚଳିତ ବର୍ଷ ଓଡ଼ିଶାକୁ ୪ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ସାର କେନ୍ଦ୍ର ଦେବା ପରିବର୍ତ୍ତେ ମାତ୍ର ୨୨ ହଜାର ୫୦୦ ମେଟ୍ରିକ ଟନ୍ ଦେଇଛି । ଯାହା ଓଡ଼ିଶା ଚାଷୀଙ୍କ ଆବଶ୍ୟକତା ପୂରଣ କରିପାରିନାହିଁ । ରାଜ୍ୟର ଚାଷୀମାନଙ୍କୁ ନାନୋ ୟୁରିଆ ବ୍ୟବହାର ନେଇ ପ୍ରଶିକ୍ଷଣ ଦିଆଯିବ । ଚାଷୀମାନେ ଦକ୍ଷ ହେବା ପରେ ନାନୋ ୟୁରିଆ ବ୍ୟବହାର କରିବାକୁ ରାଜ୍ୟ ସରକାର ଚିନ୍ତା କରିଛନ୍ତି । ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟକୁ ଆବଶ୍ୟକ ପାରମ୍ପରିକ ୟୁରିଆ ସାର ଯୋଗାଇ ଦେବାକୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ।