ଜଖୌ ବନ୍ଦରରେ ‘ଲ୍ୟାଣ୍ଡ୍‌ଫଲ୍‌’ କରିପାରେ ବାତ୍ୟା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ: ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇ ଉତ୍ତରଆଡ଼କୁ ଗତିଶୀଳ ହେଉଥିବା ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟା ବେଳେ ଗୁଜରାଟ ଉପୂକଳ ଅନ୍ତର୍ଗତ ଜଖୌ ବନ୍ଦରରେ ‘ଲ୍ୟାଣ୍ଡ୍‌ଫଲ୍‌’ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।ତେଣୁ, ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଗୁଜରାଟ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ୮ଟି ଜିଲ୍ଲାରୁ ପ୍ରାୟ ୩୭,୮୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହାଛଡ଼ା, କଚ୍‌, ପୋରବନ୍ଦର, ଆମରେଲି, ଗିର ସୋମନାଥ ଏବଂ ଦ୍ବାରକା ଆଦି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ୍‌ ପାଇଁ ୨ ଦିନ ଛୁଟି ଘୋଷଣା କରାଯାଇଛି।ସମ୍ପ୍ରତି ଏହି ବାତ୍ୟାର ପ୍ରଭାବରେ ପୋରବନ୍ଦରରେ ପ୍ରବଳ ବର୍ଷା ହେଉଛି ଏବଂ ମୁମ୍ବାଇ ଉପକୂଳରେ ବି ଉଚ୍ଚ ଜୁଆର ଉଠୁଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି। ପ୍ରବଳ ବତାସ ବହୁଥିବାରୁ ପୋରବନ୍ଦର ଅଞ୍ଚଳରେ ଅନେକ ଗଛବୃଚ୍ଛ ଉପୁଡ଼ି ଯାଇ ଯାନାବାହନ ଚଳାଚଳରେ ବାଧା ସୃଷ୍ଟି କରିଛି।