ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଡ୍ରାଇଭର ମହାସଂଘ

ଭୁବନେଶ୍ୱର: ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା ୨୦୨୩କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଡ୍ରାଇଭରଙ୍କ ମନରେ ଖୁସିର ଲହରୀ । କଥା ଦେଇ କଥା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଡ୍ରାଇଭର । ବିଜୁ ଶ୍ରମିକ ସାମ୍ମୁଖ୍ୟ ଅନୁମୋଦିତ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କସ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ପ୍ରେସମିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ମହାସଂଘ । ଯୋଜନା କାର୍ଯ୍ୟକାରୀ କରିବା ପାଇଁ କଲ୍ୟାଣ ବୋର୍ଡ ଗଠନକୁ ସ୍ବୀକୃତି ପ୍ରଦାନ କରାଯାଇଛି। ମୋଟର ଯାନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାଦ୍ବାରା ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ବ୍ୟାପକ ଭାବେ ଉପକୃତ ହେବେ। କାମ କରୁଥିବା ବେଳେ ଡ୍ରାଇଭର ଓ କର୍ମଚାରୀଙ୍କର ମୃତ୍ୟୁ ହେଲେ ମିଳିବ ୪ଲକ୍ଷ ଟଙ୍କା। ଅତିଗଭୀର ଆଘାତ କ୍ଷେତ୍ରରେ ୮୦ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ସ୍ଥାୟୀ ଅକ୍ଷମତା ମାମଲାରେ ଦେଢ ଲକ୍ଷ ଟଙ୍କା ସହାୟତା ମିଳିବ ।