ଦୁଇଟି ଏକ୍ସପ୍ରେସ ସହ ମାଲଗାଡ଼ି ଧକ୍କା: କରମଣ୍ଡଳ ସହ ଯଶୋବନ୍ତପୁର-ହାଓଡା ଏକ୍ସପ୍ରେସ ଧକ୍କା ଯୋଗୁ ମୃତାହତ ସଂଖ୍ୟା ବଢ଼ିବ

ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ ସହ ଯଶଓ୍ବନ୍ତପୁର- ହାଓ୍ବଡା ଏକ୍ସପ୍ରେସ ଦୁର୍ଘଟଣା ମୃତାହତ ସଂଖ୍ୟା ବଢ଼ିବାରେ ଲାଗିଛି । ପୁର୍ବରୁ ଠିଆ ହୋଇଥିବା ମାଲଗାଡିକୁ ପ୍ରଥମେ ଧକ୍କା ଦେଇଥିଲା ।  ଫଳରେ 8ଟି ବଗି ଲାଇନଚ୍ୟୁତ ହୋଇଥିଲା ।  କରମଣ୍ଡଳ ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିଲା ବେଙ୍ଗଲୁରୁରୁ କୋଲକାତା ଯାଉଥିବା ଯଶୱନ୍ତପୁର-ହାୱଡା ଏକ୍ସପ୍ରେସ୍ କରମଣ୍ଡଳ ବଗି ସହ ଧକ୍କା ଖାଇଥିଲା ।  ଏହି ଭୟଙ୍କର ଦୁର୍ଘଟଣା ସଂଧ୍ୟା ପ୍ରାୟ ୭. ୨୦ ମିନିଟରେ ଘଟିଥିବା ସୂଚନା ରହିଛି।  ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ ରହିଥିବା ସୂଚନା । ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଅନେକ ଲୋକ ବଗି ତଳେ ଚାପି ହୋଇ ରହିଛନ୍ତି । ସୂଚନା ମୁତାବକ, କରମଣ୍ଡଳ ଏକ୍ସପ୍ରେସକୁ ଚେନ୍ନାଇ ପଟୁ ଆସୁଥିବା ଦୂରନ୍ତ ଏକ୍ସପ୍ରେସ ଧକ୍କା ନଦେଇଥିଲେ ଏତେ ମୃତାହତ ହୋଇନଥାନ୍ତା ।  ଏବେ ଟ୍ରେନ ତଳେ ଫସିଥିବା ଲୋକଙ୍କୁ ଗ୍ୟାସ କଟରରେ କାଟି ଉଦ୍ଧାର କରାଯାଉଛି । ଦୁର୍ଘଟଣାରେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଗୋପାଳପୁର ଓ ଖନ୍ତାପଡ଼ା ହସ୍ପିଟାଲରେ ମଧ୍ୟ ଆହତ ଭର୍ତ୍ତି ହୋଇଛନ୍ତି । ଚିକତ୍ସା ପାଇଁ ବାଲେଶ୍ବର, ଏସସିବି ଓ ଭଦ୍ରକ ମେଡିକାଲରେ ସମସ୍ତ ପ୍ରସ୍ତୁତି କରାଯାଇଛି । ବାଲେଶ୍ବର ପଣପଣା-ବାହାନଗା ଷ୍ଟେସନ ମଝିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।