ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ମନଗଡ଼ା କାହାଣୀ ଗପୁଛନ୍ତି: ବିଜେଡି

ଭୁବନେଶ୍ୱର:  ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ମନଗଡ଼ା କାହାଣୀ ଗପୁଛନ୍ତି ବୋଲି ବିଜେଡି କହିଛି । । ପ୍ରେସମିଟରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କୁ ଜବାବ ଦେବା ସହ ବିଜେପିରେ ଚାଲିଥିବା ତୀବ୍ର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି  ଆଜି ନୁହେଁ ୧୯୮୫ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲା ହୋଇନାହିଁ । ମାତ୍ର ଏ ପ୍ରସଙ୍ଗରେ ମନଗଡ଼ା କାହାଣୀ ଶୁଣାଇଛି ବିଜେପି । ଯାହାକି ବିଜେପିର ଦଳୀୟ କନ୍ଦଳକୁ ପଦାରେ ପକାଇଛି । କାରଣ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ମିଳିତ ସରକାରରେ ଆଇନମନ୍ତ୍ରୀ ଥିଲେ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ । ସେ ସମୟରେ ରତ୍ନ ଭଣ୍ଡାର ଖୋଲିବା ପାଇଁ ବିଜେପି କାହିଁକି କହିଲାନାହିଁ ।  ଏଣୁ ରତ୍ନଭଣ୍ଡାର ଖୋଲା ନ ହେବା ପାଇଁ ବିଜେଡି ପରୋକ୍ଷରେ ବିଶ୍ବଭୂଷଣଙ୍କୁ ଦାୟୀ କରିଛି । ରାଜନୀତି କରିବା ପାଇଁ ବିରୋଧୀ ବିଜେପି ଦଳ ପାଖରେ ଅନେକ ପ୍ରସଙ୍ଗ ଅଛି । ଓଡ଼ିଶା ସ୍ବାର୍ଥ ସମ୍ବଳିତ ଯେକୌଣସି ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିପାରିବେ । ମାତ୍ର ସେପରି ନକରି ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରି ଲୋକଙ୍କ ଧର୍ମୀୟ ଭାବନା ସହ ବିଜେପି ଖେଳୁଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।