ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
ମେଟ୍ରୋ ଟିଭି ଓଡିଶା,୨୩/୧ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ । ଦେଶର ମହାନ୍ ସୁପୁତ୍ର ନେତାଜୀଙ୍କ ପରାକ୍ରମ ଆଗରେ ମଥାନଥ କରୁଛି ଦେଶ । ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କ ଗ୍ରାନାଇଟ୍ ପ୍ରତିମାର ହଲୋଗ୍ରାମ୍ ଲୋକାର୍ପଣ ହେବ । ହଲୋଗ୍ରାମ୍ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଆଗକୁ ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କ ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ ହେବ । ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ ନହେବା ଯାଏ ହଲୋଗ୍ରାମ୍ ପ୍ରତିମା ସ୍ଥାପନ କରାଯିବ ବୋଲି କୁହାଯାଇଛି ।
ସୂଚନା ମୁତାବକ, କିଙ୍ଗ୍ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । କିଙ୍ଗ୍ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ୧୯୬୮ ମସିହାରେ ହଟାଇ ଦିଆଯାଇଥିଲା। ଏହି ସ୍ଥାନରେ ବର୍ତ୍ତମାନ ନେତାଜୀଙ୍କ ୨୮ ଫୁଟ ଉଚ୍ଚ ଏବଂ ୬ ଫୁଟ ଚଉଡା ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ସୂଚନା ଦିଆଯାଇଛି । ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ ।
ଆଜି ସ୍ୱାଧୀନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ । ୧୮୦୯ ମସିହାହ ଆଜିର ଦିନରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗାଁରେ ବୀର ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ସୁରେନ୍ଦ୍ର ସାଏ ୨୮ ଫେବୃଆରୀ ୧୮୮୪ରେ ମଧ୍ୟପ୍ରଦେଶର ଅସୁରଗଡ ଜେଲରେ ବନ୍ଦୀ ଅବସ୍ଥାରେ ଆଖି ବୁଜି ଥିଲେ । ଇଂରେଜ ମାନଙ୍କ ବିରୋଧରେ ତାଙ୍କର ସଶସ୍ତ୍ର ବିପ୍ଳବ ଓ ବୀରତ୍ୱକୁ ଆଜି ବି ସାରା ଦେଶ ମନେ ପକାଉଛି ।୧୮୫୭ର ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ସିପାହୀ ବିଦ୍ରୋହର ବହୁ ବର୍ଷ ଆଗରୁ ସମ୍ବଲପୁର ମାଟିରେ ଇଂରେଜ ସରକାର ବିରୋଧରେ ବିପ୍ଳବର ନିଆଁ ଜଳାଇ ଦେଇଥିଲେ ସୁରେନ୍ଦ୍ର ସାଏ । ତାଙ୍କର ଗରିଲା ଯୁଦ୍ଧ ଆଗରେ ନୟାନ୍ତ ହୋଇଥିଲେ ବ୍ରିଟିଶ ସରକାର । ଆଜି ସେହି ବିପ୍ଳବୀଙ୍କ ୨୧୩ ତମ ଜୟନ୍ତୀ ଅବସରରେ ସାରା ରାଜ୍ୟ ଏହି ବିପ୍ଳବୀଙ୍କୁ ମନେ ପକାଉଛି । ରାଜ୍ୟର ବିଭିନ୍ନ ସହରରେ ତାଙ୍କର ଜନ୍ମଜୟନ୍ତୀ ପାଳନ ହେଉଛି । ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଅର୍ପଣ କରାଯିବା ସହିତ ଜୟନ୍ତୀ ପାଳିତ ହେଉଛି ।