ହିମାଳୟ ଅଞ୍ଚଳକୁ ପରିବେଶ-ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରିବାକୁ ଦାବି

ଉତ୍ତରାଖଣ୍ଡର ଶୈଳସହର ଯୋଶୀମଠ ଦବୁଛି ଏବଂ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଯୋଶୀମଠର ଆଖପାଖ ଅଞ୍ଚଳରେ ନିର୍ମାଣ କାର୍ୟ୍ୟକୁ ବନ୍ଦ କରିଦିଆଯାଇଛି ଏବଂ ଯେଉଁସବୁ କୋଠାରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇଛି, ସେଗୁଡ଼ିକୁ ଭଙ୍ଗାଯିବ ବୋଲି ନାଲି ଚିହ୍ନିତ କରାଯାଇଛି। କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଏତିକି ପଦକ୍ଷେପ ଯଥେ‌ଷ୍ଟ ନୁହେଁ।ସ୍ୱଦେଶୀ ଜାଗରଣ ମଞ୍ଚ (ଏସ୍‌ଜେଏମ୍‌) ପକ୍ଷରୁ ‘ଆସନ୍ନ ହିମାଳୟୀୟ ସଂକଟ’ ଶୀର୍ଷକ ଉପରେ ଏକ ଗୋଲଟେବୁଲ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ହିମାଳୟ ଅଞ୍ଚଳକୁ ପରିବେଶ-ସମ୍ବେଦନଶୀଳ ଅଞ୍ଚଳ (ଇକୋ-ସେନ୍ସିଟିଭ୍ ଜୋନ୍) ଘୋଷଣା କରିବାକୁ ଦାବି କରିଥିଲେ। ବୈଠକରେ ଗୃହୀତ ସଂକଳ୍ପନାମା ଅନୁସାରେ ସରକାର ଯେଉଁସବୁ ପଦକ୍ଷେପ ନେଇଛନ୍ତି ତାହା ଯଥେଷ୍ଟ ନୁହେଁ। ଗୋଟିଏ ପଟେ ଯୋଶୀମଠ ଦବୁଥିବାରୁ ବହୁସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଅନ୍ୟପକ୍ଷରେ କେବଳ ପ୍ରଭାବିତ ଲୋକଙ୍କ ଥଇଥାନ ଉପରେ ସରକାରଙ୍କ ସମାଧାନ ପନ୍ଥା ଆଧାରିତ।