୨୧ଟି ବଡ଼ ଦ୍ବୀପକୁ ୨୧ ଜଣ ବୀର ଯବାନଙ୍କ ନାମରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପରାକ୍ରମ ଦିବସ ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଏବଂ ନିକୋବରର ୨୧ଟି ବଡ଼ ଦ୍ବୀପକୁ ୨୧ ଜଣ ବୀର ଯବାନଙ୍କ ନାମରେ ନାମିତ କରିଛନ୍ତି। ପୂର୍ବରୁ ଉକ୍ତ ଦ୍ବୀପ ଗୁଡ଼ିକର କୌଣସି ନାମ ନଥିଲା। ନେତାଜୀଙ୍କ ୧୨୬ ତମ ଜୟନ୍ତୀରେ ୨୧ ଦ୍ବୀପକୁ ୨୧ ଜଣ ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ଯବାନଙ୍କ ନାମରେ ନାମିତ କରାଯାଇଛି। ମୋଦୀ ନେତାଜୀ ଦ୍ୱୀପରେ ନେତାଜୀଙ୍କ ସ୍ମୃତିରେ ନିର୍ମିତ ହେବାକୁ ଥିବା ଜାତୀୟ ସ୍ମାରକୀ ମଡେଲ ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଆଜି ମୁଁ ଆଣ୍ଡାମାନର ଲୋକଙ୍କୁ ଉଦ୍‌ବୋଧନ ଦେଉଥିବାରୁ ଏହା ମୋ ପାଇଁ ଗର୍ବର ବିଷୟ। କାରଣ ଏହି ମାଟିରେ ନେତାଜୀ ସୁଭ‌ାଷ ଚନ୍ଦ୍ର ବୋଷ ୧୯୪୩ରେ ପ୍ରଥମ ଥର ପାଇଁ ଜାତୀୟ ପତାକା ଉଡ଼ାଇଥିଲେ। ମୋଦୀ କହିଛନ୍ତି, ସ୍ବାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନକୁ ନିଚା ଦେଖାଇବା ପାଇଁ ଉଦ୍ୟମ ହୋଇଛି। କିନ୍ତୁ ଦିଲ୍ଳୀ ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ନିକୋବର ଏବଂ ସମଗ୍ର ଦେଶ ଏହି ମହାନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।