ଓସ୍‌ଡମା କୁ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩ ପାଇଁ ଚୟନ କରାଯାଇଛି

ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ ଆଜି କେନ୍ଦ୍ର ସରକାରଙ୍କ ଦ୍ବାରା ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩ ଘୋଷଣା କରାଯାଇଛି। ବିପର୍ଯ୍ୟୟ ପରିଚାଳନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଂସ୍ଥାଗତ ବର୍ଗରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା) ଓ ମିଜୋରାମର ଲଙ୍ଗଲି ଫାୟାର୍‌ ଷ୍ଟେସନକୁ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩ ପାଇଁ ଚୟନ କରାଯାଇଛି।ପୁରସ୍କାର ବାବଦରେ ଓସ୍‌ଡମାକୁ ୫୧ ଲକ୍ଷ ଟଙ୍କାର ଅର୍ଥ ରାଶି ଓ ସାର୍ଟିଫିକେଟ ପ୍ରଦାନ କରାଯିବ। ୧୯୯୯ ମହାବାତ୍ୟା ପରେ ଓସ୍‌ଡମା ଗଠନ କରାଯାଇଥିଲା। ଏହା ଦ୍ବାରା ୨୦୧୪ରେ ବାତ୍ୟା ହୁଡହୁଡ, ୨୦୧୯ରେ ବାତ୍ୟା ଫନି, ୨୦୨୦ରେ ବାତ୍ୟା ଅମ୍ଫାନ ଓ ୨୦୨୦ ବନ୍ୟାକୁ ସଫଳ ମୁକାବିଲା କରାଯାଇଥିଲା। ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଓସ୍‌ଡମା ସମୁଦ୍ର ତଟରୁ ୧.୫ କିମି ମଧ୍ୟରେ ଅବସ୍ଥିତ ୩୮୧ଟି ସୁନାମି ପ୍ରବଣ ଗାଁ ଓ ୱାର୍ଡରେ ବିପର୍ଯ୍ୟୟ ପରିଚାଳନା ପାଇଁ ୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରତିଷ୍ଠା କରିଛି।