ଓଡ଼ିଶାର ଅନାଲୋଚିତ ଇତିହାସକୁ ଦିଲ୍ଲୀ ଏବଂ ବିଶ୍ୱ ଦରବାରରେ ପହଞ୍ଚାଇବାର ସମୟ ଆସିଯାଇଛି

ସମ୍ବଲପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାର ଅନାଲୋଚିତ ଇତିହାସକୁ ଦିଲ୍ଲୀ ଏବଂ ବିଶ୍ୱ ଦରବାରରେ ପହଞ୍ଚାଇବାର ସମୟ ଆସିଯାଇଛି। ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକରେ ବୀର ସୁରେନ୍ଦ୍ର ସାଏଙ୍କ ଭଳି ବୀରତ୍ୱଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ସ୍ଥାନ ଦେବା ପାଇଁ କାର୍ଯ୍ୟ ହେଉଛି ବୋଲି ସୋମବାର ‘ପରାକ୍ରମ ଦିବସ’ ଅବସରରେ ସମ୍ବଲପୁର ଠାରେ ଆଇଆଇଏମ୍‌ ସମ୍ବଲପୁର ଏବଂ ଆଇସିଏଚ୍‌ଆର୍ ଦ୍ୱାରା ଆୟୋଜିତ ଆଲୋଚନା କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏହା କହିଛନ୍ତି।
ସଂଗୋଷ୍ଠୀ ‘ସ୍ୱାଧୀନତାର ପ୍ରେରଣା ଗାଥା ପରାକ୍ରମ ଦିବସ’ ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସ୍ୱତନ୍ତ୍ରତା ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ସମ୍ମାନିତ ମଧ୍ୟ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଲେ, ଭାରତର ମୁକ୍ତି ସଂଗ୍ରାମକୁ ପଶ୍ଚିମ ଓଡ଼ିଶାର ଅନବଦ୍ୟ ଅବଦାନ ଅତୁଳନୀୟ। ବରପୁତ୍ର ଓ ଶୌର୍ଯ୍ୟର ପ୍ରତୀକ ବୀର ସୁରେନ୍ଦ୍ର ସାଏ ଥିଲେ ଜଣେ ବିଚକ୍ଷଣ ବିପ୍ଳବୀ। ବ୍ରିଟିସ୍‌ ଶାସକ ଓ ସୈନ୍ୟବାହିନୀକୁ ଧରାଶାୟୀ କରିବାରେ ତାଙ୍କର ଅଭୂତପୂର୍ବ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ସବୁ ଦିନ ପାଇଁ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଭଳି ବରପୁତ୍ରଙ୍କ ବୀରଗାଥାକୁ ଏକବିଂଶ ଶତାବ୍ଦୀର ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ।