ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ଜନ୍ମଦିନ । ୨୩ ଜାନୁଆରୀ ୧୮୯୭ରେ ଜନ୍ମ ହୋଇଥିଲେ ଏହି ମହାନ ସ୍ବାଧୀନତା ସଂଗ୍ରାମୀ । ନେତାଜୀ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ନେତାଜୀଙ୍କୁ ପାଞ୍ଚବର୍ଷ ସମୟ ଅର୍ଥାତ ୧୯୦୨ ମସିହାରେ ତାଙ୍କ ପିତା ଜାନକୀନାଥ ପ୍ରାଥମିକ ଶିକ୍ଷା ନିମନ୍ତେ କଟକ ପ୍ରୋଟେଷ୍ଟାଣ୍ଡ ସ୍କୁଲଠାରେ ନାମ ଲେଖାଇଥିଲେ । ସେଠାରେ ସୁଭାଷ ଜଣେ ମେଧାବୀ ଛାତ୍ର ଭାବରେ ସୁନାମ ଅର୍ଜନ କରିଥିଲେ । ସେହି ସମୟରେ ପ୍ରୋଟେଷ୍ଟାଣ୍ଡ ସ୍କୁଲର ନିୟମ ଅନୁସାରେ ଭାରତରେ ଜନ୍ମ ଗ୍ରହଣ କରିଥିବା ଯେ ଛାତ୍ର ଯେତେ ଅଧିକ ନମ୍ବରରଖି ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କୁ ଅନେକ ବୃତ୍ତି ଦେବା କ୍ଷେତ୍ରରେ ପାତର ଅନ୍ତର ପ୍ରଥା ଅବଲମ୍ବନ କରାଯାଉଥିଲା । ତାହା ହିଁ ଥିଲା ସୁଭାଷଙ୍କ ମନରେ ବିଦ୍ରୋହତା । ପିତା ସୁଭାଷଙ୍କର ମନକଥା ବୁଝି ସୁଭାଷଙ୍କର ଶିକ୍ଷାକୁ ଦେଶୀୟ ହିସାବରେ ଶିକ୍ଷାଦାନ ନିମନ୍ତେ ୧୯୦୯ ମସିହାରେ ପରବର୍ତ୍ତୀ ଶିକ୍ଷା ବ୍ୟବସ୍ଥା ରେଭେନ୍ସା କଲେଜିଏଟ ସ୍କୁଲରେ ନାମ ଲେଖାଇଥିଲେ ।
୧୯୦୮ମସିହା ଅଗଷ୍ଟ ମାସ ୧୧ ତାରିଖ ଦିନ ଖୁଦୀରାମଙ୍କୁ ଇଂରେଜ ସରକାରଙ୍କଦ୍ୱାରା ଫାସି ଦିଆଯାଇଥିଲା । ସୁଭାଷଙ୍କ ପ୍ରତି ଏହାର ପ୍ରଭାବ ପଡ଼ିଲା । ଛାତ୍ର ଜୀବନ କାଳରେ ୧୯୧୧ ମସିହାରେ ସୁଭାଷ ହେଲେ ବିଶ୍ୱବିଦ୍ୟାଳୟର ଶ୍ରଦ୍ଧାର ପାତ୍ର । ଜଣେ ଦକ୍ଷ ସଂଗଠକ, ସୁଭାଷ ବୋଷଙ୍କଦ୍ୱାରା ଖୁଦିରାମଙ୍କର ସ୍ମୃତି ବାର୍ଷିକ ପାଳନ କରାଗଲା । ପୁନଶ୍ଚ ୧୯୧୧ ମସିହା ଅଗଷ୍ଟ ମାସରେ ରେଭେନ୍ସା କଲେଜିଏଟ ସ୍କୁଲ ଛାତ୍ରାବାସରେ ଚୁଲି ଜଳାଗଲା ନାହିଁ । ସମସ୍ତେ ଉପବାସ ରହି ତାହା ପାଳନ କଲେ । ସ୍ମୃତି ସଭାରେ ସୁଭାଷଙ୍କର ବକ୍ତୃତା ସମସ୍ତ ମର୍ମସ୍ପର୍ଶୀ ହେଲା । ସେ ଦିନ ସୁଭାଷ ତାଙ୍କର ସମସ୍ତ ଛାତ୍ର ବନ୍ଧୁଙ୍କୁ ଉଦ୍ୱୋଧନ ଦେଇ କହିଥିଲେ ଦେଶର ଲୋକମାନଙ୍କୁ ଦେଶାତ୍ମକ କରିବାକୁ ହେଲେ ସେମାନଙ୍କୁ ଦେଶାତ୍ମକ ଧର୍ମରେ ଦୀକ୍ଷିତ କରିବାକୁ ହେବ ।
୧୯୧୯ ମସିହା ୩ ନମ୍ବର ଧାରା ପ୍ରୟୋଗ କରିବା ପାଇଁ ଅକ୍ଟୋବର ମାସ ୨୪ ତାରିଖରେ ବଡ଼ଲାଟଙ୍କ ତରଫରୁ ଘୋଷଣା ନାମା ପ୍ରକାଶ ପାଇଲା । ଏହି ଆଇନ ଅନୁସାରେ ସ୍ୱରାଜ ପନ୍ଥୀମାନଙ୍କୁ ଗିରଫ କରାଗଲା । ପୁନଶ୍ଚ ସେହି ଆଇନ ବଳରେ ସୁଭାଷଙ୍କୁ ଅକ୍ଟୋବର ୨୫ରେ ତାଙ୍କର ଏଲିଗିନ ରୋଡ଼ଠାରେ ଥିବା ବାସଭବନରୁ ଗିରଫ କଲେ । ସୁଭାଷ ଚନ୍ଦ୍ର ଜେଲରେ ଥିବା ସମୟରେ ସେହି ଜେଲରେ ଥିବା ଜଣେ ପୋଲିସ ଅଫିସରଙ୍କର ଅଶାଳିନ ବ୍ୟବହାରରେ ଅତିଷ୍ଟ ହୋଇ ତାକୁ ବହିଷ୍କାର କରିବାଦ୍ୱାରା ସୁଭାଷଙ୍କୁ ଆଲିପୁର ଜେଲରୁ ବରହପୁତ୍ର ଜେଲକୁ ସ୍ଥାନାନ୍ତରିତ କରଗଲା।
ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ । ୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ । ୧୯୨୮ରେ କଂଗ୍ରେସ ପକ୍ଷରୁ ନିଯୁକ୍ତପ୍ରାପ୍ତ ମୋତିଲାଲ ନେହେରୁ କମିଟି ସ୍ୱାୟତ୍ତ ଶାସନ ସପକ୍ଷରେ ମତ ଦେଇଥିଲେ, କିନ୍ତୁ ଜବାହରଲାଲ ନେହେରୁ ଓ ସୁଭାଷ ବୋଷ ଉଭୟେ ପୂର୍ଣ୍ଣ ସ୍ୱାଧୀନତା ଚାହିଁଥିଲେ । ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା, ତେବେ ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମାୟାଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୩୯ରେ ସେ ପୁଣିଥରେ ସେହି ପଦବୀକୁ ନିର୍ବାଚିତ ହୋଇଥିଲେ ।
ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ୱାସ କରୁଥିଲେ । ସେ ଇଟାଲିର ଜନନାୟକ ଗାରିବାଲ୍ଡି ଓ ମାର୍ଜିନିଙ୍କଦ୍ୱାରା ଯଥେଷ୍ଟ ଅନୁପ୍ରାଣୀତ ହୋଇଥିଲେ । ସୁଭାଷଙ୍କର ଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ । ଭାରତର ସ୍ୱାଧୀନତା ପାଇଁ ଭାରତ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ ଋଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ । ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ । ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ୱାଧୀନତା ଲିଗ ଗଠନ କଲେ । ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରକାର ଗଠନ କଲେ । ସେହିଠାରୁ ସେ ଆହ୍ୱାନ ଦେଇଥିଲେ ଦିଲ୍ଲୀ ଚଲୋ । ଏହା ସହିତ ଆରମ୍ଭ ହେଲା ଆଜାଦ ହିନ୍ଦ ଫୌଜର ଅଭିଯାନ । ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା । ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା ।