ବିଜୟଙ୍କ ବକ୍ତବ୍ୟକୁ ନେଇ ଚର୍ଚା

କେନ୍ଦ୍ରାପଡ଼ା  : ରାଜ୍ୟ ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିଜୟ ମହାପାତ୍ର । ତାଙ୍କ ବକ୍ତବ୍ୟକୁ ନେଇ ସଦାବେଳେ ଚର୍ଚା ହୋଇଥାଏ । କିଛି ବର୍ଷ ଧରି ବିଧାନସଭା ଯାଇପାରୁନଥିବା ବିଜୟ ମହାପାତ୍ର 2024 ନିର୍ବାଚନ ପୂର୍ବରୁ ଏହି ବର୍ଷ ନିର୍ଣ୍ଣାୟକ ହେବ ବୋଲି କହିଛନ୍ତି । ତେବେ ତାଙ୍କ କଥାରେ ମର୍ମ କଣ ତାହା କେବଳ ସେ ହିଁ ଜାଣନ୍ତି । କାରଣ ବିଜେପିରେ ବିଜୟ ଏବେ କୋଣଠେସା ହୋଇ ରହିଛନ୍ତି । ଏଭଳି ସ୍ଥିତିରେ ସେ ଦଳ ଛାଡିବେ କି ଦଳରେ ରହିବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ପଡୁନଥିବା ଚର୍ଚା ହେଉଛି । ସେପଟେ  କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର ତିକନପୁରଠାରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ସେ 2023 ତାଙ୍କ ପାଇଁ ଲଢ଼େଇର ବର୍ଷ ବୋଲି କହିଛନ୍ତି । ସବୁଠୁ ବଡ଼ କଥା ହେଲା ତାଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯେଉଁ ପୋଷ୍ଟର ମରାଯାଇଥିଲା ସେଥିରେ ଦଳୀୟ ଚିହ୍ନ ନଥିଲା ।  ବ୍ୟାନର୍‌ରେ କେବଳ ବିଜୟଙ୍କ ବଡ଼ ଫଟୋ ସହିତ ଅଭିନନ୍ଦନର ବାର୍ତ୍ତା ଦିଆଯାଇଥିଲା।ଏହି ଅବସରରେ ବିଜୟ କହିଥିଲେ ମୋ ପାଇଁ ଆଜି ବି ବହୁ ଲୋକ ଦୁଃଖ କଷ୍ଟ ସହି ରହିଛନ୍ତି । ସେମାନଙ୍କ କଥା ବୁଝିବା ମୋର ପ୍ରଥମ କାର୍ଯ୍ୟ । ଏହି ବର୍ଷ ସବୁ ପ୍ରତୀକ୍ଷାର ଅନ୍ତ ଘଟିବ। ନିଜ ଅନୁଗତମାନଙ୍କ ଦ୍ବାରା ଆୟୋଜିତ ଏହି ବଂଧୁମିଳନ ସମାରୋହରେ ବିଜୟଙ୍କ ଏଭଳି ବକ୍ତବ୍ୟ ଆଉ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର କେଉଁ ଦଳକୁ ଯିବେ ତାକୁ ନେଇ ଏବେ ଚର୍ଚା ଜୋର ଧରିଛି ।