ଫିଫା ବିଶ୍ବକପ୍
ଚଳିତ ଫିଫା ବିଶ୍ବକପ୍ରେ ସେନେଗାଲ୍କୁ ହରାଇ ଇଂଲଣ୍ଡ ଚତୁର୍ଥ ଦଳ ଭାବେ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛି। ରବିବାର ଅଲ୍ ବାୟତ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରିକ୍ବାର୍ଟରଫାଇନାଲ୍ରେ ବିଶ୍ବ ମାନ୍ୟତାର ୫ ନମ୍ବର ଇଂଲଣ୍ଡ ୩-୦ ଗୋଲ୍ରେ ଆଫ୍ରିକୀୟ ଦଳ ସେନେଗାଲ୍କୁ ମାତ୍ ଦେଇଥିଲା। ମ୍ୟାଚ୍ରୁ ଆଧିପତ୍ୟ ବିସ୍ତାର କରିଥିବା ଇଂଲଣ୍ଡ ୩୮ତମ ମିନିଟ୍ରେ ଅଗ୍ରଣୀ ନେଇଥିଲା। ଜୁଡ଼େ ବେଲିଂହାମଙ୍କ ପାସ୍ରେ ଜୋର୍ଡାନ ହେଣ୍ଡରସନ୍ ଏହି ଗୋଲ୍ ଦେଇଥିଲେ। ପ୍ରଥମାର୍ଦ୍ଧର ଷ୍ଟପେଜ ଟାଇମ୍ରେ ଅଧିନାୟକ ହାରି କେନ୍ (୪୫+୩ ମିନିଟ୍)ଙ୍କ ଗୋଲ୍ ଇଂଲଣ୍ଡ ସ୍ଥିତି ୨-୦ କରିଥିଲା। ଏଥିରେ ଫିଲ ଫୋଡେନଙ୍କ ସହଯୋଗ ରହିଥିଲା। ଦ୍ବିତୀୟାର୍ଦ୍ଧରେ ବି ଇଂଲଣ୍ଡ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ୫୭ତମ ମିନିଟ୍ରେ ଫୋଡେନ୍ଙ୍କ ପାସ୍ରେ ବୁକାୟୋ ସାକା ଗୋଲ୍ ଦେଇ ଇଂଲଣ୍ଡକୁ ୩-୦ରେ ଆଗୁଆ ରଖିଥିଲେ। ବିଶ୍ବକପ୍ ନକ୍ଆଉଟ୍ରେ ଦୁଇଟି ଗୋଲ୍ରେ ସହଯୋଗ ରଖିବାରେ ଡେଭିଡ ବେକହାମ (୨୦୦୨ ବିଶ୍ବକପ୍)ଙ୍କ ପରେ ଫୋଡେନ୍ ପ୍ରଥମ ଇଂଲଣ୍ଡ ଖେଳାଳି ହୋଇଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍ ନ ହେବାରୁ ଇଂଲଣ୍ଡ ସେହି ୩-୦ରେ ବିଜୟୀ ହୋଇ ଦଶମ ଥର ଲାଗି ବିଶ୍ବକପ୍ର କ୍ବାର୍ଟରଫାଇନାଲ୍ ସ୍ଥାନ ପକ୍କା କରିଥିଲା। ଶୁକ୍ରବାରର ଦ୍ବିତୀୟ କ୍ବାର୍ଟରଫାଇନାଲ୍ରେ ଏହି ଦଳ ବିଜେତା ଫ୍ରାନ୍ସକୁ ଭେଟିବ।