ଚୀନ୍‌ର ‘ଇଣ୍ଡିଆନ୍‌ ଓସେନ୍‌ ରିଜନ୍‌ ମିଟ୍‌’ରେ ଭାରତ ଅନୁପସ୍ଥିତ

ଚଳିତ ସପ୍ତାହରେ ଚୀନ୍‌ ଆୟୋଜନ କରିଥିବା ଭାରତ ମହାସାଗର ଅଞ୍ଚଳର ୧୯ଟି ରାଷ୍ଟ୍ରର ବୈଠକରେ ଭାରତର ଅନୁପସ୍ଥିତ ସ୍ପଷ୍ଟ ବାରି ହୋଇପଡ଼ିଛି।ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ସହିତ ସମ୍ପୃକ୍ତ ଥିବା ‘ଦି ଚାଇନା ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କ‌ୋଅପରେସନ୍‌ ଏଜେନ୍‌ସି’ (ସିଆଇଡିସିଏ) ନଭେମ୍ବର ୨୧ ତାରିଖ ଦିନ ‘ଚାଇନା-ଇଣ୍ଡିଆନ୍‌ ଓସେନ୍‌ ରିଜନ୍‌ ଫୋରମ୍‌ ଅନ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କୋଅପରେସନ୍‌’ର ଏକ ବୈଠକ ଆୟୋଜନ କରିଥିଲା ଏବଂ ଏଥିରେ ୧୯ଟି ଦେଶ ଭାଗ ନେଇଥିଲେ ବୋଲି ‘ସିଆଇଡିସିଏ’ର ପ୍ରେସ୍‌ ରିଲିଜ୍‌ରୁ ଜଣାପଡ଼ିଛି।ୟୁନ୍ନାନ୍‌ ପ୍ରଦେଶର କୁନମିଙ୍ଗ୍‌ରେ ଅନୁଷ୍ଠିତ ଉକ୍ତ ବୈଠକର ବିଷୟବସ୍ତୁ ଥିଲା ‘ସେୟାର୍‌ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌: ଥିଓରି ଆଣ୍ଡ୍‌ ପ୍ରାକ୍ଟିସ୍‌ ଫ୍ରମ୍‌ ଦି ପର୍ସପେକ୍ଟିଭ୍‌ ଅଫ୍‌ ବ୍ଲୁ ଇକୋନମି’।

ଏଥିରେ ଇଣ୍ଡୋନେସିଆ, ପାକିସ୍ତାନ, ମିଆଁମାର, ଶ୍ରୀଲଙ୍କା, ବାଂଲାଦେଶ, ମାଳଦ୍ବୀପ, ନେପାଳ, ଆଫଗାନିସ୍ତାନ, ଇରାନ୍‌, ଓମାନ୍‌, ଦକ୍ଷିଣ ଆଫ୍ରିକା, କେନିଆ, ମୋଜାମ୍ବିକ୍‌, ତାଞ୍ଜାନିଆ, ସେସେଲ୍‌ଜ୍‌, ମାଡାଗାସ୍କର, ମରିସସ୍‌, ଜିବୋଟି, ଅଷ୍ଟ୍ରେଲିଆ ସମେତ ୧୯ଟି ଦେଶର ପ୍ରତିନିଧି ଓ ୩ଟି ଆନ୍ତର୍ଜାତିକ ସଙ୍ଗଠନ ଉପସ୍ଥିତ ଥିଲେ ବୋଲି ଉକ୍ତ ପ୍ରେସ୍‌ ରିଲିଜ୍‌ର ଉଲ୍ଲେଖ ଅଛି।ସଂଗୃହୀତ ସୂଚନା ଅନୁସାରେ, ଉକ୍ତ ବୈଠକରେ ଯୋଗ ଦେବା ପାଇଁ ଭାରତକୁ ଆମନ୍ତ୍ରଣ କରାଯାଇ ନ ଥିଲା।