‘ଶିଶିର ସରସ’ ମେଳା ଏଥର ବରମୁଣ୍ଡା ପଡ଼ିଆରେ

ସବୁଥର ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୁଏ ଶିଶିର ସର ମେଳା । ଏଥର କିନ୍ତୁ ହକି ବିଶ୍ୱକପ୍‌ ଉପଲକ୍ଷେ ଡଟ୍‌ ଫେଷ୍ଟ୍‌ ପାଇଁ ସ୍ଥାନ ବଦଳିଛି । ପ୍ରଦର୍ଶନୀ ପଡ଼ିଆ ବଦଳରେ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବରମୁଣ୍ଡାରେ ହେବ ଜାତୀୟ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀର ମେଳା “ଶିଶିର ସରସ’ । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓରମାସ୍‌ ଦ୍ୱାରା ଆୟୋଜିତ ହେବ ଏହି ମେଳା । ଏଥିରେ ମିଶନ ଶକ୍ତି, ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ, ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ସହ ଅନ୍ୟ ବିଭାଗ ଆୟୋଜନରେ ସହଯୋଗ କରିବେ ।

ଆସନ୍ତା ୨୦୨୩, ଜାନୁଆରୀ ୧୫ରୁ ଏହି ମେଳା ଆରମ୍ଭ ହେବ । ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ, ଘରକରଣା ଜିନିଷ ଓ ବନଜାତ ଦ୍ରବ୍ୟ ପ୍ରଦର୍ଶନୀ ସାଙ୍ଗକୁ ବିକ୍ରି ହେବ । ବିଭିନ୍ନ ଜିଲ୍ଲାର କାରିଗର ଓ ହସ୍ତଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ମେଳାରେ ସ୍ଥାନ ପାଇବ । ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗରୀର ପ୍ରଦର୍ଶନୀ ମଧ୍ୟ କରାଯିବ। ଏଥିଲାଗି ୪ଶହ ଷ୍ଟଲ୍‌ର ବ୍ୟବସ୍ଥା ହୋଇଛି । ମେଳାରେ ଫୁଡ୍‌ କୋର୍ଟ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ। ଶୀତୁଆ ସନ୍ଧ୍ୟାରେ ମେଳା ପରିସରରେ ଦର୍ଶକ କିଣାକିଣି ସାଙ୍ଗକୁ ଖାଦ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ।