ପଦ୍ମପୁର ଉପନିର୍ବାଚନରେ ଟ୍ରାକିଂ ଅଭିଯୋଗ
ପଦ୍ମପୁର ଉପ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ନେତାଙ୍କ ପ୍ରଚାର ଜୋର ଧରିଛି। ହେଲେ ଏହା ମଧ୍ୟରେ ପୁଲିସ୍ ଯାଞ୍ଚ କଡ଼ାକଡ଼ି କରାଯାଇଛି। ପୁଲିସ୍ ପକ୍ଷରୁ ବିଭିନ୍ନ ଦଳର ନେତାଙ୍କ ସମେତ ଷ୍ଟାର ପ୍ରଚାରକଙ୍କ ଗାଡ଼ି ଯାଞ୍ଚ ହେଉଥିବା ବେଳେ ଡ୍ରାଇଭରଙ୍କ ନମ୍ବର ବି ରଖାଯାଉଛି। ଏହାକୁ ନେଇ ଘୋର ଆପତ୍ତି ଉଠାଇଛନ୍ତି ବିରୋଧୀ । ଏପରିକି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆପତ୍ତି ଅଭିଯୋଗ ଜଣାଇଛନ୍ତି ।
ପଦ୍ମପୁରକୁ ଏବେ ବହୁ ହେଭିୱେଟ ନେତା ଓ ଷ୍ଟାର ପ୍ରଚାରକ ଯାଉଥିବା ବେଳେ ସେଠାରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି। ନିର୍ବାଚନକୁ ସୁରୁଖୁରରେ ପରିଚାଳନା କରିବାକୁ ପ୍ରଶାସନ ଓ ପୁଲିସ୍ ବି ପ୍ରସ୍ତୁତ ରହିଛି। ପୁଲିସ୍ ପକ୍ଷରୁ ବିଭିନ୍ନ ଛକରେ ଗାଡ଼ି ଯାଞ୍ଚ କରାଯାଉଛି।
ଗାଡିରେ କିଏ କିଏ ଅଛନ୍ତି, କେଉଁଠିକି ଯାଉଛନ୍ତି, କେଉଁ କଂପାନୀର ଗାଡି ଏସବୁକୁ ଟିକିନିକି ଭାବେ ଲେଖି ରଖୁଛି ପୁଲିସ । ଏହାବାଦ ଗାଡି ଚଲାଉଥିବା ଡ୍ରାଇଭରର ପରିଚୟ ସହ ତାଙ୍କ ନାଁ ଓ ମୋବାଇଲ ନମ୍ବର ବି ରଖୁଛି ପୁଲିସ୍ । ଏହାକୁ କିନ୍ତୁ ସହଜେ ହଜମ କରୁ ନାହାନ୍ତି ବିରୋଧୀ ।
ବିଜେପି ନେତା ସୁରେଜ ପୂଜାରୀ କହିଛନ୍ତି, ଚେକିଂ ବେଳେ ଡ୍ରାଇଭର ନମ୍ବର କାହିଁକି ନେଉଛି ପୁଲିସ୍ ତାହା ଚିନ୍ତାଜନକ । ଡ୍ରାଇଭର କେବଳ ଚାଳକ । ଏହାବାଦ ତା’ର ନିର୍ବାଚନରେ କୌଣସି ସମ୍ପର୍କ ନାହିଁ । କେବଳ ପ୍ରତିପକ୍ଷ ନେତା କେଉଁ ଏରିଆକୁ ଯାଉଛନ୍ତି ତାହାକୁ ଟ୍ରାକ୍ କରିବାକୁ ଏପରି କରୁଛି ପୁଲିସ୍। ଫଳରେ ସେମାନେ ନିଜ ଯୋଜନା ପ୍ରସ୍ତୁତ କରିପାରିବେ। ତେଣୁ ଏହା ପଛରେ ମନ୍ଦ ଉଦ୍ଦେଶ୍ୟ ଥିବା ପରି ଲାଗୁଛି।