ଇଡି ଜାଲରେ ପଡିଛନ୍ତି କାର ସୋ’ରୁମ୍ ମାଲିକ ଗଙ୍ଗାଧର ସାମଲ

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ଯେତେ ଆଗକୁ ଯାଉଛି, ସେତେ ନୂଆ ତଥ୍ୟ ପଦାକୁ ଆସୁଛି । ଏହି କ୍ରମରେ ଇଡି ଜାଲରେ ପଡିଛନ୍ତି କାର ସୋ’ରୁମ୍ ମାଲିକ ଗଙ୍ଗାଧର ସାମଲ। କାର୍ ସୋରୁମ ମାଲିକଙ୍କୁ ଇଡି ପକ୍ଷରୁ ଜାରି ନୋଟିସ ହୋଇଥିଲା। ନୋଟିସ୍ ପାଇବା ପରେ ଇଡି ଅଫିସ୍‌ରେ ହାଜର ହୋଇଛନ୍ତି।

ସୂଚନା ମୁତାବକ, ଅର୍ଚ୍ଚନା ନାଗ ଗିରଫ ପରେ ଅର୍ଥ ହେର୍‌ଫେର୍‌ ମାମଲାର ଖୋଲତାଡ଼ କରୁଛି ଇଡି । ଅର୍ଚ୍ଚନାଙ୍କ ସହ ଲିଙ୍କରେ ଥିବା ବ୍ୟବସାୟୀ ଓ ସହଯୋଗୀ ପ୍ରର୍ଯ୍ୟାୟକ୍ରମେ ଡାକି ଜେରା କରୁଛି ଇଡି। ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ହାଜର ହୋଇସାରିଛନ୍ତି ।

ଏପଟେ କଟକ ପ୍ରତାପନଗରୀଠାରେ ଥିବା ଦାମୀ କାର୍ ସୋରୁମର ମାଲିକଙ୍କୁ ଇଡି ନୋଟିସ୍ କରିଥିଲା । ସେହି କାର୍‌ ସୋରୁମ୍‌ ମାଲିକ ଗୁରୁବାର ଦିନ ଇଡି ଅଫିସରେ ହାଜର ହୋଇଛନ୍ତି । କାର୍‌ ସୋ’ରୁମ୍‌ ମାଲିକଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଯାଇଛି ଲକ୍ଷାଧିକ ଟଙ୍କା । କେଉଁ ଆଧାରରେ ଏତେ ଟଙ୍କା ଯାଇଛି । ସେନେଇ ଖୋଲତାଡ଼ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ସେହିଭଳି ଅର୍ଚ୍ଚନା କାହାଠାରୁ ସତ୍ୟବିହାର ଜମି କିଣିଥିଲେ । ସଂପୃକ୍ତ ଜମି ମାଲିକଙ୍କୁ ଇଡି ସମନ କରିବ ବୋଲି ବିଶ୍ୱସ୍ତସୂତ୍ରରୁ ଖବର ମିଳିଛି ।

ସେପଟେ ୨ ଦିନ ତଳେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ ଇଡି ଅଦାଲତରେ ଆବେଦନ କରିଥିଲା । ଆଜି ଏହି ଆବେଦନର ଶୁଣାଣି ହେବ । ଇଡି ଅର୍ଚ୍ଚନାଙ୍କୁ ୧୦ ଦିନରେ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି । ଅର୍ଚ୍ଚନା ରିମାଣ୍ଡରେ ଆସିଲେ, ଶ୍ରଦ୍ଧାଞ୍ଜଳିଙ୍କ ସହ ସାମ୍ନାସାମ୍ନି ଜେରା କରିବାକୁ ଇଡି ଯୋଜନା ରଖିଛି । ଅନ୍ୟପଟେ ଆଜି ଖଗେଶ୍ୱରଙ୍କ ରିମାଣ୍ଡ ଅବଧି ସରିବ ।