ଇଣ୍ଡୋନେସିଆରେ ଭୂମିକମ୍ପ: ୪୪ ମୃତ, ଶତାଧିକ ଆହତ
ଜାକାର୍ତ୍ତା : ଇଣ୍ଡୋନେସିଆର ପଶ୍ଚିମ ଜାଭାରେ ଭୟଙ୍କର ଭୂମିକମ୍ପରେ ବହୁ ଲୋକଙ୍କ ଧନଜୀବନ ନଷ୍ଟ ହୋଇଥିବା ଜଣାପଡିଛି । ୫.୭ ତୀବ୍ରତାର ଏକ ଭୂମିକମ୍ପ ଆସିଥିବାରୁ ଭୂମିକମ୍ପ ପ୍ରଭାବରେ ୪୪ ଜଣଙ୍କ ପ୍ରାଣହାନୀ ଘଟିଛି ।
ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୪୪ ଲୋକ ମୃତ୍ୟୁବରଣ କରିଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି । ଅନେକ ଲୋକ ଧ୍ବଂସସ୍ତୁପ ତଳେ ଚାପିହୋଇ ରହିଥିବାରୁ ଆଗକୁ ମୃତାହତ ସଂଖ୍ୟା ବଢିବାର ଆଶଙ୍କା ରହିଛି । ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସୁନାମି ଆଶଙ୍କା ନାହିଁ ବୋଲି କୁହାଯାଇଛି । ଜାକର୍ତ୍ତାରୁ ୭୫ କିଲୋମିଟର ଦୂର ସିଆଞ୍ଜୁରରେ ଭୂଗର୍ଭର ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ପରେ ଜାତୀୟ ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେତେକ ସ୍ଥାନରେ ଅନେକ କୋଠା ଧୂଳିସାତ ହୋଇଥିବା ସୂଚନା ମିଳିଛି ।