ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ୧୩ ପ୍ରାର୍ଥୀଙ୍କର ନାମାଙ୍କନ ଯାଞ୍ଚ ପରେ ଦୁଇ ପ୍ରାର୍ଥୀ କଟିଲେ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ୧୩ ପ୍ରାର୍ଥୀଙ୍କର ଆଜି ନାମାଙ୍କନ ଯାଞ୍ଚ ହେବାପରେ ଦୁଇଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଛି ।

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ୧୩ ପ୍ରାର୍ଥୀଙ୍କର ନାମାଙ୍କନ ଆଜି ଯାଞ୍ଚ ସରିଛି। ନାମାଙ୍କନ ନାକଚ ହୋଇଥିବା ପ୍ରାର୍ଥୀ ହେଲେ ଜୟନ୍ତ ଥପା ଓ ଦେବବ୍ରତ ସୁନାନୀ। ଉଭୟ ଜୟନ୍ତ ଓ ଦେବଦତ୍ତ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ। ରିଟର୍ଣ୍ଣି ଅଧିକାରୀ ତ୍ରିଲୋଚନ ପାତ୍ର ଏହି ସୂଚନା ଦେଇଛନ୍ତି।

ପଦ୍ମପୁର ଉପନିର୍ବାଚନ ପାଇଁ ୨ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଯିବା ପରେ ଏବେ ନିର୍ବାଚନ ପଡ଼ିଆରେ ୧୧ ଜଣ ପ୍ରାର୍ଥୀଙ୍କ ଲଢେଇ ହେବ। ପଦ୍ମପୁରୁକୁ ହାତେଇବା ପାଇଁ ପ୍ରମୁଖ ରାଜନୈତିକ ଦଳ ଯଥା ବିଜୁ ଜନତା ଦଳ (ବିଜେଡି), ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ନିଜର ଶକ୍ତି ଲଗାଇବ। ଏଥିପାଇଁ ଏହି ୩ ଦଳ ନିଜ ନିଜ ସ୍ତରରେ ରଣନୀତି ଆରମ୍ଭ କରିଦେଇଛନ୍ତି।

ଗତକାଲି ସ୍ବାଧୀନ ପ୍ରାର୍ଥୀ ଜୟନ୍ତ ଥପାଙ୍କଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରେ ବିଜେଡି ପ୍ରାର୍ଥିନୀ ବର୍ଷାରାଣୀ ସିଂ ବରିହା ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ସହ ଅନ୍ୟ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।