ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ- ଭାରତ
ଭାରତୀୟ ପୁରୁଷ ଦଳ ହକି ପ୍ରୋ ଲିଗ୍ରେ ନ୍ୟୁଜିଲାଣ୍ଡକୁ ଭେଟିବ । ଗତ ୨୮ ତାରିଖରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ ୪-୩ ଗୋଲରେ ବିଜୟୀ ହୋଇଥିଲା । ଶୁକ୍ରବାର ପୁଣି ଦୁଇ ଦଳ ମୁହାଁମୁହିଁ ହେବେ । ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ୍ରେ ବିଜୟୀ ହୋଇ ପୁଣି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଫେରିବାର ଲକ୍ଷ୍ୟ ରଖିଛି । ପୂର୍ବ ମ୍ୟାଚ୍ରେ ଘରୋଇ ଦଳ ସ୍ପେନ ଠାରୁ ପରାଜିତ ହୋଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ପୁଣି ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ବୋଲି ଭାରତୀୟ କୋଚ୍ ଗ୍ରାହାମ ରିଡ୍ ଓ ଅଧିନାୟକ ହର୍ମନପ୍ରୀତ ସିଂ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ନ୍ୟୁଜିଲାଣ୍ଡ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଥିବା ଅଧିନାୟକ ଟରାଣ୍ଟ ବ୍ଲାୟର କହିଛନ୍ତି । ଦୁଇ ଦଳ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି କରିଥିଲେ । ଶୁକ୍ରବାର ଭାରତ ବନାମ ନ୍ୟୁଜିଲାଣ୍ଡ ଏବଂ ୫ ତାରିଖରେ ସ୍ପେନ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଆସନ୍ତା ୬ ତାରିଖରେ ସ୍ପେନକୁ ଭେଟିବ ଭାରତ ।